ନୂଆଦିଲ୍ଲୀ,୧୬/୯: ହାତକୁ ଦୁଇ ହାତ ହେବେ ଭାରତୀୟ କ୍ରିକେଟର ରିଙ୍କୁ ସିଂ । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କ୍ରିକେଟର ରିଙ୍କୁ ସିଂ । ଏନେଇ ତାରିଖ ଠିକ୍ ହୋଇଥିବା ବେଳେ ଉତ୍ତରପ୍ରଦେଶର ମଛଲିଶହର ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି ଏହି କ୍ରିକେଟର। ଡିସେମ୍ବର ୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।
ଲକ୍ଷ୍ନୌର ରମାଡା ହୋଟେଲରେ ଏହି ବିବାହ ସମାରୋହ ଆୟୋଜିତ ହେବ । ବିବାହରେ ଦେଶ ଓ ବିଦେଶରୁ ଅତିଥି ଯୋଗଦେବାର ସମ୍ଭାବନା ରହିଛି ।ରାଜନୀତି, ପ୍ରଶାସନ ଏବଂ କ୍ରିକେଟ ଜଗତର ଅନେକ ବଡ଼ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଚର୍ଚ୍ଚା ହେଉଛି ।
ପ୍ରିୟା ସରୋଜଙ୍କ ପିତା ତଥା ସମାଜବାଦୀ ପାର୍ଟି ବିଧାୟକ ତୁଫାନୀ ସରୋଜଙ୍କ ଅନୁସାରେ, ଦୁଇ ପରିବାରର ସହମତିରେ ବିବାହ ତାରିଖ ଓ ସ୍ଥାନ ନିର୍ଦ୍ଧାରିତ ହୋଇଛି । ବିବାହ ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହେବ । ପୂର୍ବରୁ ବାରାଣସୀର ତାଜ୍ ହୋଟେଲରେ ରିଙ୍କୁ ଓ ପ୍ରିୟାଙ୍କ ବିବାହ ଆୟୋଜନ ହେବାର ଥିଲା । କିନ୍ତୁ ରିଙ୍କୁଙ୍କ ପିତାଙ୍କ ଦେହାନ୍ତ ପରେ ବିବାହ ତାରିଖକୁ ସ୍ଥଗିତ କରାଯାଇଥିଲା । ଏବେ ପୁଣିଥରେ ଦୁଇ ପରିବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜୁନ୍ ୨୦୨୫ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ।
ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମରୁ ହିଁ ରିଙ୍କୁଙ୍କ ସହ ପରିଚୟ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ ରିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେତେବେଳେ ପ୍ରିୟା ଜଜ୍ ହେବା ପାଇଁ ପ୍ରସ୍ତୁତି କରୁଥିବାରୁ ବିବାହ ପାଇଁ ରାଜି ନଥିଲେ । ୨୦୨୩ରେ ରିଙ୍କୁ ଭାରତୀୟ ଦଳରେ ସୁଯୋଗ ପାଇବା ପରେ ସମ୍ପର୍କକୁ ନେଇ ଦୁଇ ପରିବାରର ମତ ବଦଳିଥିଲା । ଏବେ ଦୁଇ ପରିବାରର ସହମତିରେ ଡିସେମ୍ବର ୪ ରେ ଏହି ସମ୍ପର୍କ ବିବାହର ରୂପ ନେବ ।













Leave a Reply