ରାଜଧାନୀ ଦିଲ୍ଲୀର ୩ ପ୍ରମୁଖ ସ୍କୁଲକୁ ବୋମା ବିସ୍ଫୋରଣର ଧମକ
ନୂଆଦିଲ୍ଲୀ,୧୫/୯: ମଙ୍ଗଳବାର ରାଜଧାନୀ ଦିଲ୍ଲୀର ୩ଟି ପ୍ରମୁଖ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣର ଧମକ । ଦିଲ୍ଲୀର ବ୍ରିଟିଶ ସ୍କୁଲ, ସଂସ୍କୃତି ସ୍କୁଲ ଏବଂ ସର୍ଦ୍ଦାର ପଟେଲ ବିଦ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି । ଏହି ଧମକ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ସ୍କୁଲ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ୟାମ୍ପସ ଖାଲି କରାଯିବା ସହ ଦିଲ୍ଲୀ ପୋଲିସ କୁ ଖବର ଦିଆଯାଇଥିଲା । ଦିଲ୍ଲୀ ପୋଲିସ, ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ୱାଡ୍ ଏବଂ ଦିଲ୍ଲୀ ଫାୟାର ସର୍ଭିସର ଟିମ୍ ସ୍କୁଲଗୁଡ଼ିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍କୁଲଗୁଡ଼ିକ ପକ୍ଷରୁ ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ପୋଲିସକୁ ଧମକ ସମ୍ପର୍କରେ ଜଣାଇ ଦିଆଯାଇଥିଲା । ପୋଲିସ ଅନୁଯାୟୀ, ସ୍କୁଲ ପରିସର ଖୋଜାଖୋଜି କରିବା ପରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସ୍କୁଲଗୁଡ଼ିକୁ ପଠାଯାଇଥିବା ଇମେଲ୍ ମଧ୍ୟ ଯାଞ୍ଚ କରୁଛି । ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି, ସେନେଇ ତଦନ୍ତ ଜାରି ରହିଛି ।ଏହି ଘଟଣା ପରେ ସର୍ଦ୍ଦାର ପଟେଲ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ମେସେଜ୍ ପଠାଯାଇଥିଲା ।ସ୍କୁଲ ପକ୍ଷରୁ କୁହାଯାଇଥିଲା ଯେ, ସୁରକ୍ଷା ସମ୍ପର୍କିତ ଧମକ ମିଳିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପରିସରରୁ ବାହାରକୁ ନିଆଯାଇଛି ଏବଂ ପୋଲିସକୁ ଏନେଇ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଦିଲ୍ଲୀର ସିଭିକ୍ ସେଣ୍ଟରକୁ ମଧ୍ୟ ବୋମାରେ ଉଡ଼ାଇଦେବାର ଧମକ ମିଳିଥିଲା ।













Leave a Reply