ଭୁବନେଶ୍ୱର, ୧୬/୯: ସରକାରୀ କାମରେ ବଡ଼ ଗଡ଼ବଡ଼ର ନେଇ ଅଭିଯୋଗ ହୋଇଛି । ଏନେଇ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ୩ ସାଂସଦ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ତିନି ଜଣ BJP ସାଂସଦ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ୬୮୦ କୋଟି ଟଙ୍କାର ସମ୍ବଲପୁର-ସୋନପୁର ରାସ୍ତା ପ୍ରକଳ୍ପକୁ ନେଇ ଉଠାଇଛନ୍ତି ପ୍ରଶ୍ନ।
ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାମରେ ଆଖିଦୃଶିଆ ଅଗ୍ରଗତି ନଥିବା ଦର୍ଶାଇଛନ୍ତି। କାମ ଠିକ୍ ଭାବେ ତଦାରଖ ପାଇଁ କାର୍ଯ୍ୟକାରୀ ସଂସ୍ଥା ବଦଳାଇ ସୋନପୁର ଆର୍ଆଣ୍ଡ୍ବି ଡିଭିଜନ୍କୁ ଦାୟିତ୍ୱ ଦେବାକୁ କହିଛନ୍ତି ।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଚିଠି। ନବରଙ୍ଗପୁର ବାଇପାସ୍ କାମର ବିଳମ୍ବକୁ ନେଇ ଅସନ୍ତୋଷ ଝାଡିଛନ୍ତି। ୨୦୨୪ ଡିସେମ୍ବରରେ ଠିକା ଦିଆଯାଇଥିଲା, ୨୪ ମାସରେ କାମ ଶେଷ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୧ ମାସ ପରେ ବି କାମର ଅଗ୍ରଗତି ପ୍ରାୟ ୧୦ ପ୍ରତିଶତ! ବିଳମ୍ବର କାରଣ ତଦନ୍ତ କରିବା ସହ ଦାୟୀ ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଗେଟ୍ ବଜାର ଫ୍ଲାଏଓଭର୍ର ନିର୍ମାଣ ସାମଗ୍ରୀର ମାନକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ସ୍ଥାନୀୟ ଲୋକ, ଯାତାୟାତକାରୀ ଓ ବିଭିନ୍ନ ସଂଗଠନର ଅଭିଯୋଗ ଆଧାରରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ସନ୍ଦେହ କରିଛନ୍ତି। ନିର୍ମାଣ ସାମଗ୍ରୀ, ଷ୍ଟ୍ରକ୍ଚରାଲ୍ ଡିଜାଇନ୍ ଓ ସୁରକ୍ଷା ମାନ ଯାଞ୍ଚ ପାଇଁ ସ୍ୱାଧୀନ ବୈଷୟିକ ଅଡିଟ୍ ଦାବି କରିଛନ୍ତି ସାଂସଦ । ଅଭିଯୋଗର ଚିଠି ବାବଦରେ ପ୍ରଶ୍ନ କରିବାରୁ ନୋ କମେଣ୍ଟସ କହି ଚାଲିଯାଇଛନ୍ତି। ବିରୋଧୀ ଦଳ ପ୍ରଶ୍ନ ଉଠାଇଲେ ଅଲଗା କଥା। କିନ୍ତୁ ଏଠି ପ୍ରଶ୍ନ ଉଠାଉଛନ୍ତି ଖୋଦ ଶାସକ ଦଳର ସାଂସଦ। ଏବେ ପ୍ରଶ୍ନ ଉଠୁଛି ସରକାର ନିଜକୁ ବିକାଶର ସରକାର ବୋଲି ଦାବି କରୁଥିବା ବେଳେ ସରକାରଙ୍କ ସାଂସଦମାନେ ନିଜ ଅଞ୍ଚଳର ବିକାଶ କାମକୁ ନେଇ କାହିଁକି ଅଭିଯୋଗ କରୁଛନ୍ତି? ପ୍ରକଳ୍ପ କାମ ଧିମା ପଡିଯାଉଛି ସଠିକ ସମୟରେ କାମ ସରୁନି।
ଯଦି ନିର୍ମାଣ ସାମଗ୍ରୀର ମାନକୁ ନେଇ ସାଂସଦଙ୍କ ପାଖକୁ ଅଭିଯୋଗ ଆସୁଛି, ସାଂସଦଙ୍କର ହିଁ କାମ ଉପରେ ଭରସା ପାଉନି। ତେବେ ତଦାରଖ ବ୍ୟବସ୍ଥା କେଉଁଠି ହେଉଛି ।













Leave a Reply