ବଙ୍ଗୋପସାଗରରେ ଆସିପାରେ ବାତ୍ୟା !

ଭୁବନେଶ୍ୱର, ୧୬/୯: ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା। ଆମେରିକାର ଜିଏଫ୍ଏସ୍, ୟୁରୋପର ଇସିଏମ୍ଡବ୍ଲୁଏଫ୍ ମଡେଲ୍ ପୂର୍ବାନୁମାନ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିନି । କିନ୍ତୁ ୧୯ କିମ୍ବା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ଦେଇଛି।

ବାତ୍ୟା ସମ୍ଭାବନାର କାରଣ ଦର୍ଶାଇବାକୁ ଯାଇ ମଡେଲ୍ଗୁଡ଼ିକ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ବାୟୁପ୍ରବାହ ଦୁର୍ବଳ ରହିଛି। ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏଥିସହ ଗତ ୧୫ ଦିନ ହେଲା ପଶ୍ଚିମ ରାଜସ୍ଥାନର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଦୌ ବର୍ଷା ହୋଇ ନାହିଁ। ସମୁଦ୍ରପୃଷ୍ଠ ତାପମାତ୍ରା ଯଥେଷ୍ଟ ଅଧିକ ରହିବା ସହ ଉପର ଓ ତଳ ଭାଗରେ ବାୟୁ ଚଳାଚଳରେ ତରତମ୍ୟ କମ୍ ରହୁଥିବାରୁ ଲଘୁଚାପକୁ ଅଧିକ ଘନୀଭୂତ କରାଇ ବାତ୍ୟାରେ ପରିଣତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆମେରିକୀୟ ଜିଏଫ୍ଏସ୍ ମଡେଲର ଆକଳନ ଅନୁଯାୟୀ ୧୮ ଓ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଚୀନ ସାଗରରୁ ଅବଶିଷ୍ଟାଂଶ ଭାବେ ପ୍ରବେଶ କରିବାର ସମ୍ଭାବନା ରହିଛି। ପ୍ରଭାବରେ ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ଏଥିସହ ଏହା ପୂର୍ବ ଉପକୂଳ ଆଡ଼କୁ ଗତିକରି ଓଡ଼ିଶା-ଆନ୍ଧ୍ର ଉପକୂଳମୁହାଁ ହେବ। ବାତ୍ୟା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ସମୁଦ୍ର ଭିତରେ ୧୦୦ କିମି ବେଗରେ ପବନ ହୋଇପାରେ। ସ୍ଥଳଭାଗକୁ ପ୍ରବେଶ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୫ କିମି ଛୁୂଇଁବ।

ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଶ୍ୱର ପ୍ରମୁଖ ପାଣିପାଗ ମଡେଲଗୁଡ଼ିକ ସେପ୍ଟେମ୍ବର ୨୦ରୁ ୨୨ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ପ୍ରଣାଳୀ ସୃଷ୍ଟିର ସଙ୍କେତ ଦେଉଛନ୍ତି। ପ୍ରଥମେ ଘୂର୍ଣ୍ଣିବଳୟ, ଲଘୁଚାପ ଓ ଅବପାତ ଭାବେ ପ୍ରଣାଳୀଟି ଆଗକୁ ବଢ଼ିପାରେ। ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ଏବେଠାରୁ ବାଦ୍ ଦିଆଯାଇପାରିବ ନାହିଁ। ପ୍ରଣାଳୀଟି ଶକ୍ତିଶାଳୀ ହେଲେ ୨୩ରୁ ୨୭ ତାରିଖ ମଧ୍ୟରେ ଉତ୍ତର ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରଖିବାକୁ ପଡ଼ିବ। ଏବେଠାରୁ କୌଣସି ନିର୍ଦ୍ଦିଷ୍ଟ ସ୍ଥଳଭାଗ ଛୁଇଁବା ସ୍ଥାନ କହିବା ଠିକ୍ ହେବ ନାହିଁ। ମଡେଲରେ ଦେଖାଯାଉଥିବା ବାତ୍ୟାର ଶକ୍ତି ଓ ଗତିପଥ ପରବର୍ତ୍ତୀ ସମୟରେ ବଦଳିପାରେ। ଦୁଇଟି ମଡେଲରେ ପ୍ରଣାଳୀ ସୃଷ୍ଟି ଓ ପରେ ଅଧିକ ସଂଗଠିତ ହେବା ନେଇ କିଛିଟା ସମାନ ସଙ୍କେତ ଦେଖାଯାଉଛି। ମାତ୍ର ଏହାର ଶକ୍ତି, ଗତିପଥ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସଂକ୍ରାନ୍ତରେ ଅନିଶ୍ଚିତତା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି ଯେ ମୌସୁମୀ ସମୟରେ ପାଗ ଅନୁକୂଳ ରହିଲେ ଲଘୁଚାପଟି ବାତ୍ୟା ରୂପ ନେଇପାରେ। ସ୍ଥଳଭାଗ ଅତିକ୍ରମ ପୂର୍ବରୁ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *