ଚଢ଼େଇ ବସା

ଦୀର୍ଘ ତିନି ବର୍ଷ ପରେ ଆଜି ରାଜଧାନୀ ମାଟିରେ ପାଦ ଦେଲା ଆଦର୍ଶ, ପିଲାଟି ଦିନରୁ ଭଲ ପଢ଼େ ବୋଲି ବାପା ତାକୁ ଗାଁ ପରିବେଶ ଠୁ ଦୂରେଇ ରଖିବା ପାଇଁ ହଷ୍ଟେଲ ରେ ରଖି ପଢ଼ାଇଲେ ପରେ ଭୁବନେଶ୍ୱର ଆଉ ଆଜି ବିଦେଶ ରୁ ଡାକ୍ତରୀ ପାଠ ଶେଷ କରି ଫେରୁଛି । ନିଜେ ଚାଷ କରିବି ପୁଅକୁ ଏତେ ପଢେଇ ପାରିଥିବାରୁ ବାପା ବହୁତ ଗର୍ବ କରନ୍ତି, ତା ସହ ତାକୁ ସବୁବେଳେ ଗାଁ ଠୁ ଦୁରେଇ ରହିବାକୁ ଉତ୍ସାହିତ କରିଆସିଛନ୍ତି ।

ହେଲେ ତା ମନରେ ଗାଁ ପାଇଁ ଥାଏ ଏକ ଭିନ୍ନ ଆକର୍ଷଣ, ଯେବେ ଛୁଟିରେ ଘରକୁ ଆସେ ବିଲ ହୁଡ଼ାରେ ହୁଡ଼ାରେ ଧାଏଁ ପୋଖରୀ ଆଡ଼େ, ପୋଖରୀ ଚାରିକଡ଼େ ଥିବା ଗଛ ଚଢ଼େଇ ବସାରେ ଭର୍ତ୍ତି ଥାଏ । ପାହାଚ ରେ ବସି ଘଣ୍ଟା ଘଣ୍ଟା ଦେଖେ ଏ ଡାଳ ରୁ ସେ ଡାଳ ଡେଉଁ ଥିବା ପକ୍ଷୀ ଶାବକ, କିଚିରି ମିଚିରି ଶବ୍ଦ କରି ପାଣିରେ ଗାଧୋଇ ଝାଡ଼ି ହବା, ବସାରେ ଅଣ୍ଡା କୁ ଜଗି ଥିବା ମା’, ବସାରେ ଥିବା କୁନି ଛୁଆଙ୍କୁ ଥଣ୍ଟରେ ଆଣି ଆହାର ଦେବା ଏ ସବୁ ଦୃଶ୍ୟ ତା ସ୍ମୃତିରେ ଚିର ସବୁଜ ।

ବର୍ତ୍ତମାନକୁ ଫେରି ଆସି ଚାହିଁଲା ବିମାନ ବନ୍ଦର ଟା ବି ଏଭିତରେ ବହୁତ ବଦଳି ଯାଇଛି । ହେଲେ ତା ମନ ଥିଲା ସେଇ ଚଢ଼େଇ ବସାରେ । ଗାଡ଼ିଟିଏ ଭଡ଼ା କରି ଗାଁକୁ ବାହାରିଲା, ଖାଲି ଭାବୁଥିଲା କେତେବେଳେ ପହଞ୍ଚିବ ସେଇ ପୋଖରୀ କୂଳରେ । କାଚ ବାହାରେ ଦେଖି ପାରୁଥିଲା ରାଜଧାନୀ ଆଉ ଆଗ ପରି ନାହିଁ ବେସ୍ ବଦଳି ଯାଇଛି ତାର ରୂପ ଓ ରଙ୍ଗ ତା ଗାଡ଼ି ରାଜଧାନୀକୁ ପଛରେ ପକାଇ ଗାଁ ମୁହାଁ ହୋଇଥିଲା। ସିଏ ଜାଣେ ଅଣଓସାରିଆ ରାସ୍ତାରେ ଗାଡ଼ି ଘର ଯାଏଁ ଯାଇ ପାରିବ ନାହିଁ ତା ଆସିବା ଖବର ପାଇ ଯାଇଥିବାରୁ ବୋଉ ଆସି ଗାଁ ପାଖ ରାସ୍ତାରେ ଅନେଇ ବସିଥିବ । ସବୁ ବେଳେ ସେୟା ହିଁ କରେ ଯେଉଁ ଦିନ ହଷ୍ଟେଲ ରୁ ଆସେ ବସ୍ ରୁ ଓହ୍ଲାଉ ଓହ୍ଲାଉ ବୋଉ ତା ବ୍ୟାଗ ଧରି ଘର କୁ ଯାଏ ଆଉ ସେ ସିଧା ପୋଖରୀ କୂଳକୁ ।

ହେଲେ ଆଜି ଗାଁ ମୁଣ୍ଡରେ ବୋଉ ବଦଳରେ ନଜର ଆସିଲା ଭିତରକୁ ଲମ୍ବିଥିବା ପକ୍କା ସଡ଼କ ଦୁଇ କଡ଼ରେ ସହର ପରି ଦୋକାନ ବଜାର । ସିଧା ଘର ଆଗରେ ଗାଡ଼ି ଯାଇ ପହଞ୍ଚିଲା, ଖାଲି ଗାଁ ବଦଳିନି ତା ଘର ବି ନୂଆଣିଆ ଚାଳ ରୁ ଛୋଟ ଛାତ ଘର ହୋଇଯାଇଛି । ଗାଁ ଆଉ ଗାଁ ନୁହେଁ ଛୋଟ ସହର ରେ ପରିଣତ । ହେଲେ ସେ ପୋଖରୀ, କୂଳରେ ଥିବା ଗଛ, ଚଢ଼େଇ ବସା, ଚିଂ ଚିଂ ଶବ୍ଦ ଏସବୁ ତ ବଦଳି ନଥିବ । ବ୍ୟାଗ ଫିଙ୍ଗି ଧାଇଁଲା ଦେଖିବାକୁ । ସେ ଜାଗା ଏମିତି ଲାଗୁଥିଲା ଯେମିତି ଅନେକ ଦିନ ହେବ କେହି ଏଠାକୁ ଆସି ନାହାନ୍ତି, କିଛି ଗଛ କଟା ହୋଇ ଯାଇଛି ଆଉ କିଛି ପତ୍ର ଝଡା ଦେଇ ଥୁଣ୍ଟା ହୋଇ ଠିଆ ହୋଇଛନ୍ତି, ଶୁଖିଲା ପତ୍ର ପଡ଼ି ପାଣି ପୋଚିବା ଆରମ୍ଭ କଲାଣି, ଚଢ଼େଇ କି ବସା ତାର ନାଁ ଗନ୍ଧ ହିଁ ନାହିଁ । ନିଜ ନିଜ ଘରେ ପାଣି ର ବ୍ୟବସ୍ଥା କଲା ପରେ କିଏ ବା କାହିଁକି ପୋଖରୀ ଆଡ଼େ ଆସିବ ଆଉ ଅନେକ ଲୋକ ସହର ମୁଖା ହୋଇ ଗଲେଣି । ତାର ସବୁ ଭାବନା ଭୁଲ ଥିଲା ନିରାଶ ହୋଇ ଥମ୍ କରି ସେଇ ଅଳିଆ ପାହାଚ ରେ ବସି ପଡ଼ିଲା । ଭାବି ପାରୁନଥିଲା ବଦଳି ଯାଇଥିବା ଚାରି କଡ଼ ର ଦୁନିଆ ଦେଖି ଖୁସି ହବ ନା ଏ ସବୁ ଭିତରେ ବଳି ପଡ଼ିଯାଇଥିବା ଚଢ଼େଇ ବସା ପାଇଁ ମନ ଦୁଃଖ କରିବ । ଆଖି କୋଣ ରୁ ବୋହି ଆସୁଥିବା ଦୁଇ ବୁନ୍ଦା ଲୁହ କୁ ହାତରେ ପୋଛି ବୁଲିପଡ଼ି ଆନମନା ହୋଇ ଚାଲିଲା ଘର ଆଡ଼େ । ଭାବି ପାରୁନଥିଲା ସେ ସବୁ ଚଢ଼େଇ ବସା ଆଉ ପୁଣିଥରେ ଫେରିବ କି ନା ।।

ଅନିତା ଦାସ, ଭୁବନେଶ୍ବର

Leave a Reply

Your email address will not be published. Required fields are marked *