ନୂଆଦିଲ୍ଲୀ, ୮/୯: ଗ୍ୟାସ୍ ବୁକିଂ କୁ ନେଇ ଆସିଛି ଆଶ୍ଵସ୍ତିକର ଖବର । ପୂର୍ବରୁ ବାଣିଜ୍ୟିକ ଏଲ୍ପିଜି ଉପରୁ କଟକଣା ହଟିଥିବା ବେଳେ ଏବେ ଘରୋଇ କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
ସରକାର ଗ୍ରାମାଞ୍ଚଳର ଏଲ୍ପିଜି ଗ୍ରାହକମାନଙ୍କ ପାଇଁ ସିଲିଣ୍ଡର ବୁକିଂ ୱିଣ୍ଡୋରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୪୫ ଦିନର ଲମ୍ବା ଅପେକ୍ଷାର ଅନ୍ତ ଘଟିଛି । ସରକାର ଗ୍ରାମାଞ୍ଚଳ ପାଇଁ ବୁକିଂ ସମୟସୀମା କମାଇ ୨୫ ଦିନ କରିଦେଇଛନ୍ତି।
ଅର୍ଥାତ୍ ବର୍ତ୍ତମାନ ସହର ଭଳି ଗାଁର ଲୋକେ ମଧ୍ୟ ପ୍ରତି ୨୫ ଦିନରେ ସେମାନଙ୍କର ଦ୍ୱିତୀୟ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ। ପେଟ୍ରୋଲିୟମ, ପ୍ରାକୃତିକ ଗାସ୍ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସୋମବାର ଏହାର ସରକାରୀ ସୂଚନା ଦେଇଛନ୍ତି । ଏଥିସହ ତେଲ କମ୍ପାନୀଗୁଡ଼ିକୁ (OMCs) ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ : ଫେବୃଆରୀ ମାସରେ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା କାରଣରୁ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଗ୍ୟାସ୍ ଏବଂ ତେଲ ଯାତାୟାତ ପ୍ରଭାବିତ ହୋଇଥିଲା। ଭାରତ ଏହାର ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ କରୁଥିବାରୁ ଦେଶରେ ଗ୍ୟାସ୍ ଅଭାବ ନହେବା ପାଇଁ ସରକାର ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ର ସାହାଯ୍ୟ ନେଇଥିଲେ। ସେହି ସମୟରେ ଯୋଗାଣ ସୀମିତ ଥିବାରୁ ସହର ପାଇଁ ୨୫ ଦିନ ଏବଂ ଗାଁ ପାଇଁ ୪୫ ଦିନ ସମୟ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍ ଯୋଗାଣ ସ୍ଥିତିରେ ବହୁତ ଉନ୍ନତି ଆସିଛି ଏବଂ ପେଣ୍ଡିଂ ବୁକିଂର ବ୍ୟାକ୍ଲଗ୍ ମଧ୍ୟ ଶେଷ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ଥିବା ଏହି ବ୍ୟବଧାନକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଛନ୍ତି।
ବର୍ତ୍ତମାନ ଦେଶର ଯେକୌଣସି କୋଣରେ ରହୁଥିବା ଘରୋଇ ଏଲ୍ପିଜି ଗ୍ରାହକ ପ୍ରତି ୨୫ ଦିନରେ ସିଲିଣ୍ଡର ରିଫିଲ୍ ବୁକ୍ କରାଇ ପାରିବେ।













Leave a Reply