ରାହୁଲଙ୍କ ନୂଆ ରଣନୀତି: ଯୁବନେତାଙ୍କୁ ମିଳିବ ବଡ ଦାୟିତ୍ୱ 

ନୂଆଦିଲ୍ଲୀ, ୮/୯: ଆଗକୁ ଆସୁଛି ନିର୍ବାଚନ । ଏନେଇ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି କସରତ । ଏକ ଶକ୍ତିଶାଳୀ ତଥା ଆକ୍ରମଣାତ୍ମକ ଯୁବ ନେତୃତ୍ୱ ଗଠନ ହେବ । ରାଷ୍ଟ୍ରୀୟ ସମ୍ପାଦକ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ, ରାହୁଲ ଗାନ୍ଧୀ ନିଜେ ଆଶାୟୀ ନେତାମାନଙ୍କ ସାକ୍ଷାତକାର ନେଉଥିବା ଜଣାପଡ଼ିଛି

ସୂଚନା ଅନୁଯାଇ, ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୨୦ ଜଣ ଯୁବ ନେତାଙ୍କୁ ଏହି ପଦବୀ ପାଇଁ ସର୍ଟଲିଷ୍ଟ୍ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏହି ନେତାମାନଙ୍କ ଗ୍ରାଉଣ୍ଡ ରିପୋର୍ଟ କାର୍ଡ, ତୃଣମୂଳ ସ୍ତରରେ ସେମାନଙ୍କ ସକ୍ରିୟତା, ସାଂଗଠନିକ ଦକ୍ଷତା ଏବଂ ଦଳ ପ୍ରତି ଥିବା ପ୍ରତିବଦ୍ଧତାକୁ ସିଧାସଳଖ ପରଖୁଛନ୍ତି ।

ଏହି ଚୟନ ପ୍ରକ୍ରିୟାରେ ଏକ ବଡ଼ ସାଂଗଠନିକ ପରିବର୍ତ୍ତନର ସଂକେତ ମିଳିଛି । ସମ୍ପାଦକ ପଦବୀରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ନୂଆ ତଥା ଯୁବ ଚେହେରାଙ୍କୁ ସାମିଲ କରିବା ପାଇଁ ଯୋଜନା ଚାଲିଛି । ଦଳର ଛାତ୍ର ସଂଗଠନ, ଯୁବ କଂଗ୍ରେସ ଏବଂ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଥିବା କର୍ମୀଙ୍କୁ ପ୍ରାଥମିକତା ଦିଆଯାଉଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାସ୍ତାର ଲଢ଼େଇ ପର୍ୟ୍ୟନ୍ତ ଯେଉଁମାନେ ଆଗରେ ରହି କାର୍ୟ୍ୟ କରୁଛନ୍ତି, ସେମାନଙ୍କୁ ଦଳର ମୁଖ୍ୟ ସ୍ରୋତକୁ ଆଣିବା ରାହୁଲଙ୍କ ମୁଖ୍ୟ ଲକ୍ଷ୍ୟ ।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ରାହୁଲ ଗାନ୍ଧୀ ଏବେ ଦଳକୁ ପାରମ୍ପରିକ ଢାଞ୍ଚାରୁ ବାହାର କରି ଏକ କର୍ପୋରେଟ୍ ଏବଂ ଟାସ୍କ-ଓରିଏଣ୍ଟେଡ୍ ସଂଗଠନରେ ପରିଣତ କରିବାକୁ ଚାହୁଁଛନ୍ତି । ସମ୍ପାଦକ ଭାବେ ନିଯୁକ୍ତି ପାଇବାକୁ ଥିବା ଏହି ନେତାମାନଙ୍କୁ ବିଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାଂଗଠନିକ ଫଳାଫଳ ଦେଖାଇବାକୁ ପଡ଼ିବ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *