ମନ ଜିଣୁଛି ‘ଦହନ- ଦି ଇଭିଲ୍ ୱିଥିନ୍’ର ଟ୍ରେଲର, ୧୧ ସେପ୍ଟେମ୍ବରରେ ସାରା ଓଡିଶାରେ ମୁକ୍ତିଲାଭ

ଭୁବନେଶ୍ବର,୩୦/୮ : ଓଲିଉଡ଼ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଦହନ- ଦି ଇଭିଲ୍ ୱିଥିନ୍’ର ଟ୍ରେଲର ରିଲିଜ । ଓଲିଉଡର ଲୋକପ୍ରିୟ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହୋଇଛି ଏହି ସିନେମା । ଆସନ୍ତା ୧୧ ସେପ୍ଟେମ୍ବର ୨୦୨୬ ଅର୍ଥାତ୍ ଗଣେଶ ପୂଜା ଅବସରରେ ଏହା ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ସିନେମା ‘ମନ୍ତ୍ରମୁଗ୍ଧ’ର ଅପାର ସଫଳତା ପରେ ନିର୍ମାତା ଏହି ନୂଆ ସିନେମାକୁ ‘ଓଡ଼ିଆ ହରର୍ ସିନେମାର ପରବର୍ତ୍ତୀ ସ୍ତର’ ବୋଲି ଦାବି କରିଛନ୍ତି।

ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଭାର ନେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ଅନୁପମ ଏବଂ ବର୍ଷା ପଟ୍ଟନାୟକ ମିଳିତ ଭାବେ ଏହାର ପ୍ରଯୋଜନା କରୁଛନ୍ତି। ଏହି ଚଳଚ୍ଚିତ୍ରଟି ମନସ୍ତାତ୍ତ୍ୱିକ ଭୟ ଏବଂ ଅତିପ୍ରାକୃତିକ ଘଟଣାବଳୀ ସହ ମାନବୀୟ ସମ୍ବେଦନାକୁ ଜୀବନ୍ତ କରିଛନ୍ତି ଏହି ସିନେମାରେ ଯାହା ଦର୍ଶକଙ୍କୁ ଏକ ଭିନ୍ନ ଧରଣର ରୋମାଞ୍ଚକର ଅନୁଭୂତି ଦେବ। ଚଳଚ୍ଚିତ୍ର ସମ୍ପର୍କରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ, “ହରର୍ ବା ଭୟଭୀତ କରୁଥିବା ଶୈଳୀ ମୋତେ ସର୍ବଦା ଆକୃଷ୍ଟ କରିଆସିଛି, କାରଣ ଏହାଦ୍ୱାରା ଆମେ ଆମ ମନରେ ଥିବା ଗଭୀର ଭୟ ଓ ଭାବନାକୁ ଅନୁଭବ କରିପାରୁ। ‘ଦହନ’ କେବଳ ଦର୍ଶକଙ୍କୁ ଡରାଇବ ନାହିଁ, ବରଂ ଆମେ ଏପରି ଏକ କାହାଣୀ କହିବାକୁ ଚାହୁଁଛୁ ଯାହା ସିନେମା ହଲରୁ ବାହାରିବା ପରେ ବି ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ। ଆମ ପ୍ରଡକ୍ସନର ପ୍ରତ୍ୟେକ ବିଭାଗ ଦର୍ଶକଙ୍କୁ ଏକ ବାସ୍ତବବାଦୀ ଏବଂ ନୂଆ ଅନୁଭୂତି ଦେବା ପାଇଁ କଠିନ ପରିଶ୍ରମ କରିଛନ୍ତି।”

‘ପ୍ରତୀକ୍ଷା’, ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’, ‘ତ୍ରିକନ୍ୟା’, ଓ ‘କର୍ମ’ ଭଳି ଉଚ୍ଚକୋଟୀର କମର୍ସିଆଲ୍ ସିନେମା ଓ ୱେବ୍ ସିରିଜ୍ ଭେଟିଦେଇଥିବା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ‘ଦହନ’ ମାଧ୍ୟମରେ ଓଡ଼ିଆ ସିନେମାର କାହାଣୀ କହିବା ଶୈଳୀ ଏବଂ ବୈଷୟିକ ମାନଦଣ୍ଡରେ ଏକ ନୂଆ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ରରେ ଏକ ଦମଦାର ଷ୍ଟାରକାଷ୍ଟ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ବର୍ଷା ପଟ୍ଟନାୟକ, ଔରୋଶିଖା ମିଶ୍ର, ସମ୍ରାଟ ମହାପାତ୍ର, ପାର୍ଥସାରଥୀ ରାୟ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଣବ ପ୍ରସନ୍ନ ରଥ ଏବଂ ଅନ୍ୟାନ୍ୟ କଳାକାରମାନେ। ସଂଳାପ ପ୍ରଣବ ପ୍ରସନ୍ନ ରଥ ଲେଖିଥିବା ବେଳେ କ୍ୟାମେରା ପରିଚାଳନା ଦୀପକ କୁମାର ଓ ସମ୍ପାଦନା ରଶ୍ମିରଞ୍ଜନ ଦାଶ କରିଛନ୍ତି। ଆଶିଷ ପ୍ରଧାନଙ୍କ ସଙ୍ଗୀତ ଏବଂ ଶକ୍ତି ସ୍ୱରୂପ ଦ୍ୱିବେଦୀଙ୍କ ସାଉଣ୍ଡ୍ ଡିଜାଇନ୍ ସିନେମାକୁ ଆହୁରି ଜୀବନ୍ତ କରିବ।

Leave a Reply

Your email address will not be published. Required fields are marked *