ଭୁବନେଶ୍ୱର,୩/୮ : ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ଗରିପୁର, ଧାନଖଣିଆ, ନାଥପୁର ଓ ତିହିଡ଼ି ବ୍ଲକର ଗୋବିନ୍ଦପୁର, ଫଉଜୁଡ଼ି, ହଂସପାଟ, ସାହାପୁର ପ୍ରଭୃତି ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପରିଦର୍ଶନ ପରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ବନ୍ୟାପ୍ଲାବିତମାନଙ୍କୁ କେଉଁ ସହଯୋଗ ଓ ସାହାଯ୍ୟ ଦିଆଯାଇଥିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ । ବନ୍ୟାପାଣିରେ ଯେଉଁମାନଙ୍କର ଘର ସଂପୂର୍ଣ୍ଣ ବୁଡ଼ିଯାଇଛି ସେମାନଙ୍କ ପାଖରେ ସରକାର ଏ ପର୍ଯ୍ୟନ୍ତ ପାଲ ଖଣ୍ଡିଏ ବି ପହଞ୍ଚାଇ ପାରିନାହାନ୍ତି । ଗୋଟିଏ ପରିବାରକୁ ପ୍ରଶାସନ ପକ୍ଷରୁ ମାତ୍ର ୧ କେଜି ଚୁଡ଼ା ଦିଆଯାଇଛି ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ । ସେହିଭଳି ସମସ୍ତ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଇ ନାହିଁ । ବିଶେଷ କରି ନଳକୂପ ଗୁଡ଼ିକୁ ଡିସ ଇନଫେକସନ କରାଯାଇନାହିଁ ଏବଂ ଆବଶକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ଏପର୍ଯ୍ୟନ୍ତ ପଶୁ ଖାଦ୍ୟ ମଧ୍ୟ ସମସ୍ତ ଅଞ୍ଚଳରେ ଦିଆଯାଇ ପାରିଲା ନାହିଁ । କେବଳ ନାମକୁ ମାତ୍ର କିଛି କିଛି ଯାଗାରେ ବଣ୍ଟା ଯାଇଛି । ସ୍ଥାନୀୟ ଡାକ୍ତରଖାନାରେ ସାପକାମୁଡ଼ା ଏବଂ ଡାଇରିଆ ରୋଗୀଙ୍କ ପାଇଁ ଆଗୁଆ ବ୍ୟବସ୍ଥା ରଖାଯାଇ ନାହିଁ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଚାନ୍ଦବାଲି ବିଡିଓ ଓ ତହସିଲାଦାରଙ୍କୁ ଭେଟି ବନ୍ୟା ପ୍ଲାବିତଙ୍କୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଥିଲା । ସରକାରଙ୍କ ବନ୍ୟା ତତ୍ପରତା ନୈରାଶ୍ୟଜନକ ବୋଲି ସେ କହିଥିଲେ ।
ଏହି ଦୁଇଟି ବ୍ଲକରେ ହଜାର ହଜାର ଏକର ଚାଷ ଜମିରେ ପାଣି ମାଡ଼ିଯିବା ଫଳରେ ଚାଷ ସଂପୂଣ୍ଣ ଉଜୁଡ଼ି ଯାଇଛି ଏବଂ ଚାଷୀ ଅମଳ କରିବାର ସମସ୍ତ ଆଶା ହରାଇଛି । ତେଣୁ ସରକାର ଚାଷୀଙ୍କ ଉପରୁ କୃଷିଋଣ ଛାଡ଼ କରିବା ସହ ଛାତ୍ରଛାତ୍ରୀଙ୍କର ସମସ୍ତ ପ୍ରକାର ଫିସ ଛାଡ଼ ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ସ୍ୱାଗତ କର, ଆଲୋକ ଦାସ, ବଳରାମ ରାଉତ, ବଳରାମ ନନ୍ଦ, ବିରଞ୍ଚି ବାରିକ, କାର୍ତ୍ତିକେଶ୍ୱର କାଣ୍ଡି, ଜଗଦିଶ ରାଉତ, ସଂଦୀପ ରାଉତରାୟ, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ସୁଭାଶିଷ ମଲ୍ଲିକ, ଚାନ୍ଦବାଲି ଯୁବ କଂଗ୍ରେସ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଶକ୍ତିପ୍ରସାଦ ବିଶ୍ୱାଳ, ପ୍ରଫୁଲ୍ଲ ପୃଷ୍ଟି, ନିମାଇ ଦାସ, ବରିଷ୍ଠ କଂଗ୍ରେସ ନେତା ଧୃବ ବିଶ୍ୱାଳ ପ୍ରମୁଖ ଗସ୍ତ କରିଥିଲେ ।













Leave a Reply