ନୂଆଦିଲ୍ଲୀ, ୧୨/୯: ଥମିବାର ନାଁ ଧରୁନି ରୁଷ ଓ ୟୁକ୍ରେନ୍ ଯୁଦ୍ଧ । ରୁଷ ୟୁକ୍ରେନ୍ ଉପରେ ବାରମ୍ବାର ଆକ୍ରମଣ ଜାରି ରଖିଥିବା ବେଳେ ଶନିବାର ଦିନ ରୁଷ ୟୁକ୍ରେନ ର ଏକାଧିକ ଅଞ୍ଚଳ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି। ଯେଉଁଥିରେ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏହି ଆକ୍ରମଣରେ ୫୦୦ରୁ ଅଧିକ ଡ୍ରୋନ୍ ବ୍ୟବହାର ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ବଡ଼ବଡ଼ ଅଟ୍ଟାଳିକା, ଦୋକାନ, ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ରୁଷର ଡ୍ରୋନ୍ ଓ ମିସାଇଲ ଆକ୍ରମଣରେ ଜାଇଟୋମିର ଅଞ୍ଚଳର ଏକ ଗ୍ରୋସରୀ ଷ୍ଟୋର ଧ୍ୱଂସ ହୋଇଯାଇଛି। ସେଠାରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ସେହି ଅଞ୍ଚଳରେ ଥିବା ଦୁଇଟି ପେଟ୍ରୋଲ୍ ପମ୍ପ ଓ ଗୋଟିଏ କମ୍ପାନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଠିକ୍ ସେହିପରି ଜାପୋରିଜିଆ ଓ କ୍ରିଭି ରିହରେ ମଧ୍ୟ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଛି। ଜାପୋରିଜିଆରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଓଡେସାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ରିପୋର୍ଟ ଆସିଛି।
ରୁଷ କହିଛି, ୟୁକ୍ରେନ୍ର ବନ୍ଦର ଓ ସେଠାରେ ଥିବା ମାଲବାହୀ ଜାହାଜକୁ ଟାର୍ଗେଟ୍ କରାଯାଇଛି। ଜାହାଜରେ ସାମରିକ ସାମଗ୍ରୀ ରଖାଯାଇଥିବାରୁ ଏହି ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ୟୁକ୍ରେନ୍ ମଧ୍ୟ ରୁଷ ଉପରେ ଆକ୍ରମଣ କରିଛି। ସମାରା ଅଞ୍ଚଳର ତୋଗ୍ଲିଆତିରେ ଥିବା ଏକ ବଡ଼ ସିନ୍ଥେଟିକ ରବର କାରଖାନାକୁ ଡ୍ରୋନ୍ ଆକ୍ରମଣ କରାଯାଇଛି।













Leave a Reply