ଜମ୍ମୁ-କାଶ୍ମୀରରେ ବର୍ଷକୁ ୬ ମାଗଣା ସିଲିଣ୍ଡର ମଞ୍ଜୁର

ଭୁବନେଶ୍ୱର, ୨୫/୯: ବର୍ଷକୁ ମିଳିବ ୬ଟି ସିଲିଣ୍ଡର ମାଗଣା । ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏନେଇ ବଡ଼ ଘୋଷଣା କରିଛନ୍ତି | ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ବର୍ଷକୁ ୬ଟି ଏଲପିଜି (LPG) ସିଲିଣ୍ଡର ମାଗଣାରେ ଯୋଗାଇଦେବାକୁ ଘୋଷଣା ହୋଇଛି | ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଲାଭ ମିଳିବ।

ଖାଦ୍ୟ, ନାଗରିକ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସତୀଶ ଶର୍ମା ବିଧାନସଭା ଅଧିବେଶନ ସମୟରେ ୨୪ ସେପ୍ଟେମ୍ୱରରେ ଏହି ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ପରିବାରକୁ ସିଧାସଳଖ ଆର୍ଥିକ ସହାୟତା ମିଳିବ। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାର ଲାଭ କେବଳ ଜମ୍ମୁ-କାଶ୍ମୀରର ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ରାସନ କାର୍ଡଧାରୀମାନଙ୍କୁ ହିଁ ମିଳିବ। ଏହି କାର୍ଡ ସମାଜର ସବୁଠାରୁ ତଳସ୍ତରର ତଥା ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରଗୁଡ଼ିକ ପାଇଁ ଜାରି କରାଯାଇଥାଏ। ଏହି ଯୋଜନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ସରକାର ‘ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ’ (DBT) ବ୍ୟବସ୍ଥା ଆପଣାଇବେ। ଏହା ଅଧୀନରେ ହିତାଧିକାରୀମାନଙ୍କୁ ପ୍ରଥମେ ସାଧାରଣ ଭାବରେ ସିଲିଣ୍ଡର କିଣିବାକୁ ପଡ଼ିବ, ତା’ପରେ ସିଲିଣ୍ଡରର ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ରିଫଣ୍ଡ ସବସିଡି ଆକାରରେ ପଠାଇ ଦିଆଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନ୍ୟପଟେ , ବିରୋଧୀ ଦଳ ଭାଜପା ଗୃହରେ ଏହି ଯୋଜନାକୁ ନେଇ ଜୋରଦାର ହଙ୍ଗାମା କରିଥିଲା। ବିରୋଧୀଙ୍କ ଅଭିଯୋଗ ଯେ, ନ୍ୟାସନାଲ କନଫରେନ୍ସ ବିଧାନସଭା ର୍ନିବାଚନ ସମୟରେ ତାର ଇସ୍ତାହାରରେ ଜମ୍ମୁ-କଶ୍ମୀରର ‘ପ୍ରତ୍ୟେକ ପରିବାର’କୁ ବର୍ଷକୁ ୧୨ଟି ମାଗଣା ଏଲପିଜି ସିଲିଣ୍ଡର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। କ୍ଷମତାକୁ ଆସିବା ମାତ୍ରେ ସରକାର ସିଲିଣ୍ଡର ସଂଖ୍ୟା ୧୨ରୁ କମାଇ ୬ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *