ଭୁବନେଶ୍ୱର ୨୬/୯: ବଡ ଘୋଷଣା କଲେ କିଙ୍ଗ କୋହଲି। ୨୦୨୭ ODI ବିଶ୍ୱକପ ମୋର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ ବୋଲି କହିଛନ୍ତି କିଙ୍ଗ କୋହଲି । ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିବା ବିରାଟ କହିଛନ୍ତି ଯେ ୨୦୨୭ରେ ହେବାକୁ ଥିବା ତାଙ୍କର ଶେଷ ବିଶ୍ୱକପ ଅଭିଯାନ | ଯେଉଁଥିରେ ସେ ନିଜର ସର୍ବସ୍ବ ଢାଳିଦେବେ। ଆଗାମୀ ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ। ଅଧିକାଂଶ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଖେଳାଯିବ, ଯେଉଁଠାରେ ବିରାଟଙ୍କ ODI ହାରାହାରି ସ୍କୋର (average) ୭୬.୩୮ ରହିଛି।
ସୂଚନାଯୋଗ୍ୟ, ୨୦୨୭ ODI ବିଶ୍ୱକପ ଅକ୍ଟୋବର ୪ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ଟୁର୍ଣ୍ଣାମେଣ୍ଟର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି ଏବଂ ୧୪ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାରମ୍ଭରେ, ସବୁଠାରୁ କମ ରାଙ୍କିଙ୍ଗ ଥିବା ତିନୋଟି ଦଳ ମଧ୍ୟରେ ଏକ ‘ସୁପର-୩’ ସିରିଜ ଖେଳାଯିବ ଏବଂ ଏହା ପରେ ‘ସୁପର-୭’ ପର୍ଯ୍ୟାୟ ପାଇଁ ୧୨ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ।
ଜିଓ-ହଟଷ୍ଟାର୍ (JioHotstar) ସହ କଥାବାର୍ତ୍ତା ବେଳେ ବିରାଟ କୋହଲି କହିଛନ୍ତି, ‘ବିଶ୍ୱକପ ବିଦେଶୀ ପରିବେଶରେ ଖେଳାଯିବ। ଏଥିପାଇଁ ପ୍ରଚୁର ଶକ୍ତି ଏବଂ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଏହା ମୋର ଶେଷ ବିଶ୍ୱକପ ହେବ ଏବଂ ଏହା ହିଁ ମୋ ପାଇଁ ପ୍ରେରଣାର ଉତ୍ସ। ମୁଁ ଏଥିପାଇଁ ନିଜର ସର୍ବସ୍ବ ଦେବି।’
ODI ବିଶ୍ୱକପ ଇତିହାସରେ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହ କରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୩୭ଟି ଇନିଂସରେ ୧,୭୯୫ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୫ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ରହିଛି। ଯଦି ବିରାଟ କୋହଲି ୨୦୨୭ ବିଶ୍ୱକପରେ ଆଉ ମାତ୍ର ୨୦୫ ରନ ସଂଗ୍ରହ କରନ୍ତି, ତେବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ୨,୦୦୦ ରନ ସଂଗ୍ରହ କରିବାର ମାଇଲଖୁଣ୍ଟ ଅତିକ୍ରମ କରିବାରେ ଦ୍ୱିତୀୟ ବ୍ୟାଟର ହେବେ। ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର ଏହି ସଫଳତା ହାସଲ କରିଛନ୍ତି |













Leave a Reply