ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୩୦/୯: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ | ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବିକୁ ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ସାଧାରଣ ଧର୍ମଘଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ସେହିପରି ଅକ୍ଟୋବର ୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ, ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି।

ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵୀକାର କରିବା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅକ୍ଷୟ ପ୍ରଶ୍ନ କରିଥିଲେ। ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ।

ସେପଟେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ବିରୋଧ, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆସନ୍ତା ୮ ତାରିଖରେ ବନ୍ଦ ଡାକରା ଦେଇଛି।

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ କର୍ମୀମାନେ କିଛି ସମୟ ପାଇଁ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ । ସେହିପରି ରାସ୍ତା ମଝିରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି । ସୋରରେ କର୍ମୀମାନେ ପିକେଟିଂ କରି ଜାତୀୟ ରାଜପଥରେ ଗାଡ଼ି ଚଲାଚଳ ବନ୍ଦ ରଖିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବାମଦଳ ସମେତ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *