ମୁମ୍ବାଇ,୧୬/୬ : ଜିଓ ପ୍ଲାଟଫର୍ମସ ବିଶ୍ୱ ପେଟେଣ୍ଟ ରାଙ୍କିଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି । ୱାର୍ଲଡ ଇନଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ (ଡବ୍ଲୁଆଇପିଓ) ଦ୍ୱାରା ପ୍ରକାଶିତ ସଦ୍ୟତମ ପେଟେଣ୍ଟ କୋଅପରେସନ ଟ୍ରିଟି (ପିସିଟି) ରାଙ୍କିଙ୍ଗରେ, ଜିଓ ପ୍ଲାଟଫର୍ମସ ବିଶ୍ୱର ଶ୍ରେଷ୍ଠ ୨୦ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛି। କମ୍ପାନୀ ୩୨୦ ସ୍ଥାନ ଉପରକୁ ଉଠି ୨୦୨୫ ତାଲିକାରେ ୨୦ ତମ ସ୍ଥାନରେ ପହଞ୍ଚିଛି । ଜିଓ ପ୍ଲାଟଫର୍ମସ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରଯୁକ୍ତି କମ୍ପାନୀ । ଏହି ନୂତନ ରାଙ୍କିଙ୍ଗ ସହିତ ଜିଓ ବିଶ୍ୱର ଶ୍ରେଷ୍ଠ ୨୦ ମଧ୍ୟରେ ପ୍ରବେଶ କରିବାରେ ଏକମାତ୍ର ଭାରତୀୟ ଟେକ୍ ଇନୋଭେଟର ହୋଇଛି । କମ୍ପାନୀ ଏବେ ହୁଆୱେଇ, ସାମସଙ୍ଗ, କ୍ୱାଲକମ, ଏଲଜି, ପାନାସୋନିକ, ନୋକିଆ, ଗୁଗୁଲ, ଆପଲ, ଏବଂ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ବିଶ୍ୱସ୍ତରୀୟ ଟେକ୍ କମ୍ପାନୀ ସମୂହଙ୍କ ମଧ୍ୟରେ ସାମିଲ ହୋଇଛି । ଜିଓର ପେଟେଣ୍ଟ ଫାଇଲିଙ୍ଗ ପରବର୍ତ୍ତୀ ପିଢ଼ିର ଡିଜିଟାଲ ପ୍ରଯୁକ୍ତି ଉପରେ ଧ୍ୟାନକେନ୍ଦ୍ରିତ କରିଛି । ଏଥିରେ ୫ଜି, ୫ଜି ଆଡଭାନ୍ସଡ୍, ୬ଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଏଆଇ-ନେଟିଭ୍ ନେଟୱାର୍କ, କ୍ଲାଉଡ୍-ନେଟିଭ୍ ପ୍ଲାଟଫର୍ମ, ଇଣ୍ଟେଲିଜେଣ୍ଟ ଅଟୋମେସନ୍, ରେଡିଓ ଆକ୍ସେସ, କୋର୍ ନେଟୱାର୍କ ସଫ୍ଟୱେର୍, ଏଜ୍ ଇଣ୍ଟେଲିଜେନ୍ସ, ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ, ନେଟୱାର୍କ ସ୍ଲାଇସିଂ ଏବଂ ଡିଜିଟାଲ ସେବା ଭିତ୍ତିଭୂମି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି ।
ଏହି ସଫଳତା ନେଇ ଜିଓ ପ୍ଲାଟଫର୍ମସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆକାଶ ଏମ୍. ଅମ୍ବାନୀ କହିଛନ୍ତି, “ଡବ୍ଲୁଆଇପିଓ ପିସିଟି ରାଙ୍କିଙ୍ଗରେ ବିଶ୍ୱସ୍ତରରେ ଶୀର୍ଷ ୨୦ ମଧ୍ୟରେ ଜିଓ ପ୍ଲାଟଫର୍ମସ ପ୍ରବେଶ କରିବା ଏକ ଡିପ୍-ଟେକ୍ କମ୍ପାନୀ ହେବା ପାଇଁ ଆମର ଯାତ୍ରାରେ ବର୍ଷ ବର୍ଷ ଧରି ରହିଥିବା କଠିନ ପରିଶ୍ରମକୁ ପ୍ରତିଫଳିତ କରୁଛି । ଏହା ଜିଓରେ ବିଭିନ୍ନ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ହେଉଥିବା ଉଲ୍ଲେଖନୀୟ ଇନୋଭେସନ ବା ନବସୃଜନର ପ୍ରମାଣ, ଯାହା ଆଗାମୀ ବର୍ଷ ଗୁଡ଼ିକରେ ଆହୁରି ବୃଦ୍ଧି ପାଇବ ।” ଆକାଶ ଅମ୍ବାନୀ ଆହୁରି କହିଛନ୍ତି ଯେ ସେ ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ଭିଜନକୁ ଉତ୍ସର୍ଗ କରୁଛନ୍ତି । ଏହି ଭିଜନ ଭାରତକୁ ବିଶ୍ୱ ପାଇଁ ପ୍ରଯୁକ୍ତିର ସୃଷ୍ଟିକର୍ତ୍ତା, ମାଲିକ ଏବଂ ରପ୍ତାନିକାରୀ ଦେଶ ହେବା ଦିଗରେ ଆଗକୁ ବଢା଼ଉଥିବା ସେ କହିଛନ୍ତି । ଏଥିସହିତ ଜିଓ ଭାରତକୁ ଏକ ବିଶ୍ୱସ୍ତରୀୟ ଡିପ୍-ଟେକ୍ ପାୱାରହାଉସ୍ କରିବାର ଯାତ୍ରାରେ ଯୋଗଦାନ ଦେଇ ଗର୍ବ ଅନୁଭବ କରୁଥୁବା ସେ କହିଛନ୍ତି ।
ଉଲ୍ଲେଖନୀୟ ଭାବେ, ଜିଓର ୩୨୦ସ୍ଥାନ ଉପରକୁ ଲମ୍ଫ ପ୍ରଦାନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ସ୍ତରରେ ପିସିଟି ଫାଇଲିଙ୍ଗରେ ବୃଦ୍ଧି ୧ ପ୍ରତିଶତରୁ କମ୍ ରହିଥିଲା । ଏହି ଡବ୍ଲୁଆଇପିଓ ରାଙ୍କିଙ୍ଗ ଜିଓ ପ୍ଲାଟଫର୍ମର ଗବେଷଣା ଓ ବିକାଶ (ଆରଏଣ୍ଡଡି) କ୍ଷମତା ଏବଂ ଏହାର ବୌଦ୍ଧିକ ସମ୍ପତ୍ତି ପୋର୍ଟଫୋଲିଓର ଶକ୍ତିକୁ ବିଶ୍ୱସ୍ତରରେ ସ୍ୱୀକୃତି ପ୍ରଦାନ କରିଛି । ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା, ଜିଓ ପ୍ଲାଟଫର୍ମସ ମୋଟ ୬,୮୧୭ ପେଟେଣ୍ଟ ଦାଖଲ କରିଛି । ଏଥିମଧ୍ୟରୁ ୨,୩୯୩ ଭାରତରେ ଏବଂ ୪,୪୨୪ ଅନ୍ତର୍ଜାତୀୟ ବଜାରରେ ଦାଖଲ କରାଯାଇଥିଲା । ଏ ପର୍ଯ୍ୟନ୍ତ, କମ୍ପାନୀର ବିଶ୍ୱ ସ୍ତରରେ ୧,୦୦୯ଟି ପେଟେଣ୍ଟ ମଞ୍ଜୁର ହୋଇଛି, ଯାହା ମଧ୍ୟରୁ ଭାରତରେ ୫୩୮ ଏବଂ ଅନ୍ତର୍ଜାତୀୟ ବଜାରରେ ୪୭୧ ରହିଛି ।
ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହାର ଇନୋଭେସନ ବା ନବସୃଜନ କମ୍ପାନୀ ଦ୍ୱାରା ବିକଶିତ ଏବଂ ବ୍ୟାପକ ଭାବରେ ବାଣିଜ୍ୟିକୀକରଣ କରାଯାଇଥିବା ପ୍ରଯୁକ୍ତି ଏବଂ ପ୍ଲାଟ ଫର୍ମ ଗୁଡ଼ିକ ଉପରେ ଆଧାରିତ ରହିଛି। କମ୍ପାନୀ ୫ଜି/୬ଜି ରେଡିଓ, ୫ଜି/୬ଜି କୋର୍, ସାଟେଲାଇଟ୍ କମ୍ୟୁନିକେସନ ଏବଂ ‘ଏଜେଣ୍ଟିକ୍ ଏଆଇ’ ର ଆଗାମୀ ଦିଗ ଜିଓ ବ୍ରେନ ଭଳି ଆଡଭାନ୍ସଡ଼ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ କାର୍ଯ୍ୟ କରୁଛି। ଜିଓର ଏହି ସଫଳତା ଭାରତର ପ୍ରଯୁକ୍ତି କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତ୍ତନକୁ ସୂଚିତ କରୁଛି। ଏହା କେବଳ ପ୍ରଯୁକ୍ତିର ଏକ ବୃହତ ପରିମାଣର ଉପଭୋକ୍ତା ହେବା ଠାରୁ ଆଗକୁ ବଢି ଭାରତରେ ସ୍ୱଦେଶୀ ପ୍ରଯୁକ୍ତି ସୃଷ୍ଟି କରିବା ଏବଂ ଏହାକୁ ବିଶ୍ୱ ସ୍ତରରେ ପହଞ୍ଚାଇବାର ପରିବର୍ତ୍ତନକୁ ଦର୍ଶାଉଛି।












Leave a Reply