ନିଆରା ଢଙ୍ଗରେ ୨୦୦୧ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସହ ରୌପ୍ୟ ଜୟନ୍ତୀ ପାଳିତ

ବଡ଼ଚଣା,୧୩/୬ : କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ ଗରଗାଲି ଗ୍ରାମର ମା’ମଲିହାଶୁଣୀ ବିଦ୍ୟାପୀଠର ୨୦୦୧ବ୍ୟାଚ୍‌ର ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ୨୫ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କଉଡୁକୋଳ/କୁଦଳ ଯଜ୍ଞ ପଡ଼ିଆ କଲ୍ୟାଣୀ ମଣ୍ଡପଠାରେ ବହୁ ଆଡ଼ମ୍ବର ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସବୁଠାରୁ ନିଆରା ଦିଗ ଥିଲା l ୨୦୦୧ ବ୍ୟାଚ୍‌ର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏହାକୁ ଏକ ଭିନ୍ନ ଢଙ୍ଗରେ ଆୟୋଜନ କରିଥିବାରୁ ଏହା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସର୍ବପ୍ରଥମେ ସମସ୍ତ ପୂର୍ବତନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ମା’ମଲିହାଶୁଣୀ ମନ୍ଦିର ପରିସରରେ ଏକତ୍ରିତ କରାଯାଇଥିଲା। ସେଠାରେ ମା’ଙ୍କ ନିକଟରେ ସେମାନଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଜା, ବାଣ ଓ ଶୋଭାଯାତ୍ରା ସହିତ ସମସ୍ତ ଶିକ୍ଷକଙ୍କୁ ଯଜ୍ଞ ପଡ଼ିଆ ସ୍ଥିତ ମଣ୍ଡପକୁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଛାତ୍ରୀମାନେ ଶିକ୍ଷକମାନଙ୍କ ପାଦ ଧୋଇ ବନ୍ଦାପନା କରି ସସମ୍ମାନରେ ମଣ୍ଡପ ଭିତରକୁ ପାଛୋଟି ନେଇଥିଲେ। ପରେ ସମସ୍ତ ଶିକ୍ଷକ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହିତ ଦିବଙ୍ଗତ ପୂର୍ବତନ ଶିକ୍ଷକ, ପିଅନ ଓ ଛାତ୍ରଛାତ୍ରୀମାନଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମଞ୍ଚ ଉପରେ ସମସ୍ତ ଶିକ୍ଷକଙ୍କୁ ଫୁଲ ତୋଡା,ଉତ୍ତରୀୟ ଓ ନୀଳଚକ୍ର ଥିବା ଫଟୋ ଦେଇ ସ୍ଥାନ ଅଳଙ୍କୃତ କରା ଯାଇଥିଲ l

ଏହାପରେ ୨୦୦୧ବ୍ୟାଚ୍‌ର ଛାତ୍ର ଶାରଦା ପ୍ରସନ୍ନ ସାମଲ ସଭା ପରିଚାଳନା କରି ସମସ୍ତ ଶିକ୍ଷକଙ୍କୁ ପ୍ରଣାମ ଜଣାଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ତାଙ୍କର ଭାବପୂର୍ଣ୍ଣ ବକ୍ତବ୍ୟ ଏବଂ ବିଦ୍ୟାଳୟ ଜୀବନର ବିଭିନ୍ନ ସ୍ମୃତିଚାରଣ ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁ ଯିବା ସହ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ସମସ୍ତ ଶିକ୍ଷକ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଦୁଇଜଣ ପୂର୍ବତନ ଛାତ୍ରଙ୍କ ସନ୍ତାନ ମଧ୍ୟ ମଞ୍ଚକୁ ଆସି ନିଜ ବାପାଙ୍କ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ କିଛି ଭାବପୂର୍ଣ୍ଣ କଥା କହିଥିଲେ, ଯାହା ସମସ୍ତଙ୍କୁ ଆବେଗପ୍ରବଣ କରିଦେଇଥିଲା। ଦୀର୍ଘ ୨୫ ବର୍ଷ ପରେ ସମସ୍ତେ ସମସ୍ତଙ୍କୁ ପାଖରେ ପାଇ ଏତେ ଆନନ୍ଦ ଲାଭ କରିଥିଲେ ତାହା ବର୍ଣ୍ଣନା କରିବା କଷ୍ଟ ଥିଲା l

ଏଇ ବନ୍ଧୁ ମିଳନରେ ରମେଶ, କିଶୋର, ଚନ୍ଦ୍ର ଶେଖର, ସତ୍ୟ, ସରୋଜ, ଡୋରା, ସ୍ବାଧୀନ, ଚିତନ, ବାବୁଲି, ସୁଶାନ୍ତ, ଶଶି, ଧୀରେନ୍ଦ୍ର, ଦେବାଶିଷ, ମୃତ୍ୟଂଜୟ, ଭାଗ୍ୟଧର, ଶ୍ରୀକାନ୍ତ, ଉପେନ୍ଦ୍ର, ମମତା, ରଞ୍ଜିତା, ସସ୍ମିତା, ରେଣୁକା, ଦେବସ୍ମିତା, ନିରୁପମା, ଝୁନୁ, ଗୀତା, ଭାରତୀ, ଜ୍ଞାନ, ଅଶୋକ, ପପୁ, ହରୀ, ସୁନୀଲ, ଗଙ୍ଗା, ପ୍ରକାଶ, ନିହାର, ରୁଦ୍ର, ଶଶି, ଅନାମ, ଓ ଅଶୋକ ସମସ୍ତେ ମିଶି ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ପାଳନ କରିଥିଲେ l ଏହା ବ୍ୟତୀତ ଏଇ ବନ୍ଧୁ ମିଳନରେ କିଛି ପିଲା ଦୂର ସ୍ଥାନରେ ରହି ଥିବାରୁ ନଆସିବାରୁ ଭିଡିଓ କଲ ମାଧ୍ୟମରେ ଅରବିନ୍ଦ, ତୃପ୍ତିମୟୀ, ଅମିୟ, ମିହିର, ଅଞ୍ଜନ, ଅନିତା, ସଞ୍ଜୟ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ l ଶେଷରେ ଶ୍ରୀ ଶାରଦା ପ୍ରସନ୍ନ ସାମଲ ସମସ୍ତ ସହପାଠୀଙ୍କ ସହଯୋଗ ଓ ଅବଦାନ ପାଇଁ କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସମସ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା କାର୍ଯ୍ୟ ସମାପନ ପରେ ସମସ୍ତେ ଏକାଠି ଭୋଜନ କରି ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ୱଳ ପରିବେଶ ମଧ୍ୟରେ ପରସ୍ପରକୁ ବିଦାୟ ଜଣାଇଥିଲେ l

Leave a Reply

Your email address will not be published. Required fields are marked *