ସମ୍ବଲପୁର,୧୫/୬ : ଆରଂଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଗତ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ମହାଦେବଙ୍କ ପତରପେଣ୍ଡି ବା ନିର୍ବନ୍ଧ ସମ୍ବଲପୁର ସହର ନିକଟ ଶାସନ ଗାଁ କନ୍ୟା ପିତା ମାତା ହୋଇଥିବା ପ୍ରଦୀପ କୁମାର ମିଶ୍ର ଓ ବୀଣାପାଣି ମିଶ୍ରଙ୍କ ଘରେ ସମ୍ପନ୍ନ ହୋଇଯାଇଛି l ଏହାସହ ଆରଂଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା l ଏହାସହ ଗତକାଲି ରାତିରେ ସମ୍ବଲପୁର ସହରର ଦେଉଳବନ୍ଧର ବାବା ବଟେଶ୍ୱର ମହାଦେବଙ୍କ ମଧ୍ୟ ପତରପେଣ୍ଡି ହାଉସିଂବୋର୍ଡ କଲୋନୀର କନ୍ୟା ପିତା ମାତାଙ୍କ ଘରେ ସମ୍ପନ୍ନ ହୋଇଛି l
ଶୀତଳଷଷ୍ଠୀ ପାଇଁ ଏବେ ଉତ୍ସବମୁଖର ସମ୍ବଲପୁର ସହର। ଗତକାଲି ରାତିରେ ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି l ଗତ ରାତିରେ ସମ୍ବଲପୁର ସହରର ନନ୍ଦପଡାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଗତକାଲି ରବିବାର ରାତି ପ୍ରାୟ ୮ଟା ସମୟରେ ନନ୍ଦପଡ଼ା ମନ୍ଦିରରୁ ବାବା ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି ଶୋଭାଯାତ୍ରା ମହା ଆଡମ୍ବର ସହକାରେ ଆରମ୍ଭ ହୋଇଥିଲା । ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଓ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ରଙ୍କ ପୌରୋହିତ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ, ପରମ୍ପରା ମୁତାବକ ସପ୍ତର୍ଷିମାନେ ବରପିତା ରାମ ଚରଣ ମିଶ୍ରଙ୍କ ସହ ବାବାଙ୍କ ପାଇଁ କନ୍ୟା ସନ୍ଧାନରେ ବାହାରିଥିଲେ । ବରପିତା ତଥା ସପ୍ତଋଷି ଦିବ୍ୟ ବିମାନ ରେ ରଥାରୂଢ ହୋଇ ପତରପେଣ୍ଡି ଶୋଭାଯାତ୍ରାରେ ବାହାରି ଥିଲେ l ପାରମ୍ପରିକ ଓ ଆଧୁନିକତାର ଅପୂର୍ବ ସମନ୍ୱୟ ମଧ୍ୟରେ ଏହି ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି।

ଆଧୁନିକ ଡିଜିଟାଲ ଏବଂ ପାରମ୍ପରିକ ଆଲୋକମାଳାରେ ଝଲସୁଥିଲା ନନ୍ଦପଡ଼ା ଅଞ୍ଚଳ। ଏହି ଭବ୍ୟ ଶୋଭାଯାତ୍ରା ନନ୍ଦପଡ଼ାରୁ ବାହାରି ମହାନ୍ତି ପଡ଼ା, ରାଣୀଖିଣ୍ଡା ସମଲେଶ୍ୱରୀ ମନ୍ଦିର ଦେଇ ଶାସନ ସ୍ଥିତ କନ୍ୟାପିତାଙ୍କ ବାସଭବନରେ ପହଞ୍ଚି ଥିଲା। ଶୋଭାଯାତ୍ରାରେ ସପ୍ତର୍ଷି ମଣ୍ଡଳୀର ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣାନନ୍ଦ ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ରହିଥିଲେ l ଚଳିତ ବର୍ଷ ଶାସନ ନିବାସୀ ପ୍ରଦୀପ କୁମାର ମିଶ୍ର ଓ ମାତା ବୀଣାପାଣି ମିଶ୍ର କନ୍ୟା ପିତା-ମାତା ହେବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ପତର ପେଣ୍ଡି ଶୋଭାଯାତ୍ରା ତାଙ୍କ ଘରେ ପହଂଚିବା ପରେ ବରପକ୍ଷ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ ବରପିତା ଓ ସପ୍ତ ଋଷି କନ୍ୟା ପକ୍ଷ ଙ୍କୁ ନିଜ ର ଆସିବର ଅଭିପ୍ରାୟ ଜଣେଇବା ସହ ମହାଦେବଙ୍କ ପାଇଁ ଜଣେ ଉତ୍ତମ କନ୍ୟା ଅନ୍ବେଷଣ ରେ ଆସିଥିବା କଥା କହିଥିଲେ l ଏହାପରେ ବର ପକ୍ଷରୁ ସପ୍ତରୁଷି ମହାଦେବଙ୍କ ସ୍ତୋତ୍ର ଗାନ କରି ତାଙ୍କ ମହିମା ବଖାଣିବା ସହ ଗୁଣ ଗାନ କରିବା ପରେ କନ୍ୟା ପକ୍ଷ ଏହି ବିବାହ ପ୍ରସ୍ତାବ ରେ ସହମତି ଦେଇଥିଲେ l ଏହାପରେ ବିଧି ପୂର୍ବକ ପୂଜାର୍ଚନା କରି ସାରି, ବରପକ୍ଷ ୭୨ଟି ସରଗି ପତ୍ର ବା ଶାଳ ପତ୍ର ର ଏକ ବିଡା କନ୍ୟା ପକ୍ଷ ଙ୍କୁ ଦେଇ ଦେବ ଦମ୍ପତି ଙ୍କ ବିବାହ ପାଇଁ ନିର୍ବନ୍ଧ ଚୂଡାନ୍ତ କରିଥିଲେ l ଏହି ପରମ୍ପରା କୁ ପତର ପେଣ୍ଡି ପରମ୍ପରା କୁହାଯାଏ l












Leave a Reply