ଛାତ୍ରଛାତ୍ରୀଙ୍କୁ ଠିକ୍ ପାଠ୍ୟ ପୁସ୍ତକ ପ୍ରଦାନ କରିବା ଆମର ଦାୟିତ୍ୱ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୭/୬ : ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଠିକ୍ ପାଠ୍ୟ ପୁସ୍ତକ ପ୍ରଦାନ କରିବା ଆମର ଦାୟିତ୍ୱ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ୭ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉତ୍ତମ ଶିକ୍ଷାଦାନ ଓ ଶିକ୍ଷା ବ୍ୟବସ୍ଥାକୁ ଆମ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଥିବା ସ୍ଥଳେ ପାଠ୍ୟପୁସ୍ତକରେ ଏହି ଭଳି ତ୍ରୁଟି ହେବା ଗ୍ରହଣଯୋଗ୍ୟ ନୁହେଁ । ଏଥିରେ ତୁରନ୍ତ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଠିକ୍ ପାଠ୍ୟ ପୁସ୍ତକ ପ୍ରଦାନ କରିବା ଆମର ଦାୟିତ୍ୱ ।

Leave a Reply

Your email address will not be published. Required fields are marked *