ଭୁବନେଶ୍ବର,୧୦/୬ : ଆସନ୍ତା ରଜ ଅବସରରେ ଓଲିଉଡ଼ରେ ରିଲିଜ ହେବାକୁ ଯାଉଛି ୩ ଓଡ଼ିଆ ଚଳଚ୍ଚିତ୍ର । କୁହାଯାଉଛି ଏଥର ରଜ ୩ ‘A’ ମଧ୍ୟରେ ଲଢେଇ ହେବ, ଅର୍ଥାତ- ଅଭିନେତା ଅନୁଭବ ମହାନ୍ତି, ଅର୍ଦ୍ଧେନ୍ଦୁ ସାହୁ ଏବଂ ଅମ୍ଳାନ ଦାସଙ୍କ ମଧ୍ୟରେ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଲାଣି । ଓଡ଼ିଶାର ଗଣପର୍ବ ରଜ । ଏହି ଅବସରରେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଯାହାର କ୍ରେଜ୍ ଏବେଠାରୁ ଦେଖିବାକୁ ମିଳିଲାଣି । ସୋସିଆଲ ମିଡ଼ିଆରେ ସିନେମାର ପ୍ରଚାର ପ୍ରସାର ଜୋରଦାର ଚାଲିଛି । ୩ଟି ଜାକର ପ୍ରମୋଶନ୍ ଖୁବ୍ ଜୋରସୋରରେ ଚାଲିଛି । ଦର୍ଶକମାନଙ୍କ ନିକଟରେ ପହଞ୍ଚିବାକୁ ଏହାର ଟିମ୍ ପ୍ରମୋଶନର ନୂଆ ନୂଆ ତରିକା ଆପଣାଉଛନ୍ତି । ଯାହାକୁ ନେଇ ଏବେ ଓଡ଼ିଆ ସିନେ ପ୍ରେମୀ ବେଶ୍ ଖୁସିଥିବା ଦେଖାଯାଉଛି । ଆସନ୍ତୁ ନଜର ପକାଇବା ୩ ଓଡ଼ିଆ ସିନେମା ଉପରେ । ଯାହା ରଜ ଅବସରରେ ରିଲିଜ୍ ହେବାକୁ ଯାଉଛି ।

ଛକି ଶୂନ : ଚଳିତ ରଜରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ୍ ଡୋଜ୍ ଦେବାକୁ ପ୍ରସ୍ତୁତ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛକି ଶୂନ’ ଆସନ୍ତା ଜୁନ୍ ୧୨ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଷ୍ଟୁଡିଓ ଭର୍ସନ ଗୀତ ‘ଆମେ ବାଳୁଙ୍ଗା ଟୋକା’ ମୁକ୍ତିଲାଭ କରିଥିବା ବେଳେ ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଗୀତଟିକୁ ନିଜେ ଅନୁଭବ ମହାନ୍ତି ଗାଇଥିବାବେଳେ ତାଙ୍କ ସହ ଅଭିନେତା ପପୁ ପମ୍ ପମ୍ ମଧ୍ୟ କଣ୍ଠଦାନ କରିଛନ୍ତି । ରଜ ମାହୋଲକୁ ଆହୁରି ରଙ୍ଗିନ କରିବ ବୋଲି ଏହି ଗୀତକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
‘ଛକି ଶୂନ’ ଫିଲ୍ମକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆମର ଷ୍ଟୁଡିଓ ଓ ଏସଏମ୍ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ ୨୯ଟୁ ନାଇନ୍ ଫିଲ୍ମସ୍ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ । ସେ ହିଁ ଏହାର କାହାଣୀ ଲେଖିଥିବାବେଳେ ଜାଗୃତି, ଅନୁଭବ ମହାନ୍ତି, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ଫିଲ୍ମର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟଜେଠୀ। ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି ।

ଶିକାର : ଏଥର ରଜରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଓଡ଼ିଆ ସିନେମା “ଶିକାର” । ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା ରହିଥିବାବେଳେ ନିର୍ଦ୍ଦେଶକ ଦେଇଛନ୍ତି ମୃତ୍ୟଞ୍ଜୟ ସାହୁ ଏବଂ କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାରରେ ପ୍ରିୟବ୍ରତ ପଣ୍ଡା ଅଛନ୍ତି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନେତା ଅମ୍ଲାନ ଦାସ, ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ, ଅଙ୍କିତ ପ୍ରମୁଖ ରହିଛନ୍ତି । କ୍ରାଇମ, ଥ୍ରୀଲର ସହିତ ଦମଡାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍ ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବା ପାଇଁ ସଜ ହୋଇସାରିଛି l
ରଜ ବଜାର ସବୁବେଳେ ଓଡ଼ିଆ ସିନେମା ତଥା ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥାଏ l କ୍ରାଇମ, ଆକ୍ସନ, ଥ୍ରୀଲରରେ ଭରା ଓଡ଼ିଆ ଚଳଚ୍ଚିତ୍ର ଶିକାରର ପ୍ରତି ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l ତେବେ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ପ୍ରସ୍ତୁତ ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ ଜବରଦସ୍ତ ଷ୍ଟାର କାଷ୍ଟ ଦେଖିବାକୁ ମିଳିବ l
ଆକ୍ସନ ଷ୍ଟାର ଅମ୍ଲାନ, ଚୁଲବୁଲି ଏଲିନା ଏବଂ ନାୟିକା ସୁପ୍ରିୟା ଏବଂ ଅଙ୍କିତ ଭଳି କଳାକାର ରଜରେ ବେଶ ମନୋରଞ୍ଜନର ଖୋରାକ ଯୋଗାଇବେ l ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଛନ୍ତି l ବହୁ ଅଭିଜ୍ଞ ସିନେମାଟୋଗ୍ରାଫର ପ୍ରତାପ ରାଉତ ଚିତ୍ରତ୍ତୋଳନ ଦାୟିତ୍ୱ ନେଇଥିବା ବେଳେ ରାଜେଶ ଦାଶ ସମ୍ପାଦନା କରିଛନ୍ତି l ଟ୍ରେଣ୍ଡିଂ ମ୍ୟୁଜିକ ଡାଇରେକ୍ଟର ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ଅମ୍ଲାନଙ୍କ ଆକ୍ସନ ଏବଂ ଏଲିନାଙ୍କ ଓକିଲ ଭୂମିକା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ l ତେବେ ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁଙ୍କ ଏହି ଚଳଚ୍ଚିତ୍ର ରଜରେ ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ଏଥିରେ ସନ୍ଦେହ ନାହିଁ l

ଡାଏରୀ : ଆସନ୍ତା ରଜ ଅବସରରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ସିନେମା ‘ଡାଏରୀ’ । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ଦ୍ୱାରା ନିର୍ମିତ ହୋଇଛି ଏହି ସିନେମା । ଏଥିରେ ରହସ୍ୟମୟ ଝଲକରେ ଏକ ବକ୍ସରୁ ବାହାରୁଥିବା ‘୨୦୧୯’ ଲେଖାଥିବା ଡାଏରୀ ଏବଂ “ମୋ ଠୁ ମୋ ଯାଏଁ…” ଭଳି ଗଭୀର ସଂଳାପ ଦର୍ଶକଙ୍କ ମନରେ କାହାଣୀକୁ ନେଇ ଉତ୍କଣ୍ଠା ସୃଷ୍ଟି କରିଛି। ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଚମତ୍କାର ନିର୍ଦ୍ଦେଶନା, କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ, ସ୍କ୍ରିନପ୍ଲେ ତଥା ସଂଳାପ ଓ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ବଡ଼ ପରଦାରେ ଏକ ଅଭିନବ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି।
ସୋମେଶ ଶତପଥୀଙ୍କ ସୁମଧୁର ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍ଙ୍କ କୋରିଓଗ୍ରାଫି ଫିଲ୍ମର ଗୀତଗୁଡ଼ିକୁ ଶ୍ରୁତିମଧୁର ଏବଂ ଦୃଶ୍ୟମାନ କରିଛି। ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁଙ୍କ ସହ ଜସ୍ମିନ ଓ ପ୍ରଜ୍ଞା ନଜର ଆସୁଛନ୍ତି। ପ୍ରଣୟ ଜେଠୀ ଏବଂ ତାଙ୍କ ଟିମ୍ଙ୍କ ଦ୍ୱାରା ମିଡ଼ିଆ ଏବଂ ପ୍ରଚାର ଓ ପ୍ରସାର ପ୍ରମାଣିତ କରିଛି ଯେ, ଦର୍ଶକଙ୍କ ଭଲପାଇବା ଏବଂ ଟିମ୍ର କଠିନ ପରିଶ୍ରମ ବଳରେ ‘ଡାଏରୀ’ ଏଥର ରଜରେ ନିଶ୍ଚିତ ଭାବେ ଏକ ବଡ଼ ସଫଳତା ହାସଲ କରିବ। ଏହି ଚଳଚ୍ଚିତ୍ରର ସଂଗୀତ ବିତରକ ଭାବରେ ଆମର ମ୍ୟୁଜିକ ଥିବା ବେଳେ ଆଓ ନେକ୍ସଟ ଏହାର ଓଟିଟି ପାର୍ଟନର ଭାବରେ ସମ୍ପୃକ୍ତ ଅଛନ୍ତି l
ଏ ତ ଥିଲା ୩ ଫିଲ୍ମର କଥା । ତେବେ ଆଗାମୀ ଦିନରେ ଜଣାପଡ଼ିବ କିଏ ରଜରେ କରୁଛି ବାଜିମାତ୍ । ୪ଟି ସିନେମା ରିଲିଜ୍ ହେବାକୁ ଅଣ୍ଟା ଭିଡ଼ିଥିବାବେଳେ ରେଶରୁ ଓହରି ଯାଇଛି ‘ଦ ମିଲେଟ ଡାଏରୀ’ । ଏହାର କାରଣ କ’ଣ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଜଣାପଡ଼ିନଥିବାବେଳେ ରଜରେ ୩ ସିନେମା ଆସୁଥିବା ସ୍ପଷ୍ଟ ଜଣାପଡ଼ିଛି ।












Leave a Reply