ଭୁବନେଶ୍ବର,୧୮/୧୦ : ଓଡ଼ିଆ ସିନେମା ଜଗତରେ ସୁପରଷ୍ଟାରଙ୍କ ଅଭାବ ନାହିଁ । ସୋସିଆଲ ମିଡ଼ିଆରେ ଫ୍ୟାନ୍ ଫଲୋଇଂ, ବଡ଼ ବଡ଼ ଦାବି ଓ ଷ୍ଟାରଡମର ପ୍ରଚାର ମଧ୍ୟ କିଛି କମ୍ ନୁହେଁ । ପର୍ବପର୍ବାଣୀ ଆସିଲେ ଏହି ଷ୍ଟାରଡମର ପ୍ରକୃତ ପରୀକ୍ଷା ହୁଏ । ରଜ ହେଉ କି ଦଶହରା ଓଡ଼ିଆ ଦର୍ଶକଙ୍କ ଆଶା ଥାଏ ପରଦାରେ ନିଜ ପ୍ରିୟ ନାୟକଙ୍କୁ ଦେଖିବେ । କିନ୍ତୁ ଏଥର ଦଶହରାରେ ସେହି ଆଶା ପୂରଣ ହୋଇନି । ଫଳରେ ଦର୍ଶକଙ୍କ ମନରେ ଉଠିଛି ପ୍ରଶ୍ନ । ଓଲିଉଡ଼ର ତଥାକଥିତ ସୁପରଷ୍ଟାରମାନେ କୁଆଡ଼େ ଗଲେ । କେବଳ ନାଁରେ ସୁପରଷ୍ଟାର ନା ଦର୍ଶକଙ୍କ ପାଇଁ ସେମାନଙ୍କର କିଛି ଦାୟିତ୍ୱ ମଧ୍ୟ ଅଛି ।
ଯେଉଁ କଳାକାରମାନଙ୍କୁ ନେଇ ଓଡ଼ିଆ ସିନେମା ଶିଳ୍ପ ବଡ଼ ବଡ଼ ଆଶା ବାନ୍ଧିଥାଏ, ଯେଉଁମାନଙ୍କ ନାଁରେ ନିର୍ମାତାମାନେ କୋଟିକୋଟି ଟଙ୍କା ଲଗାଇବାକୁ ଆଗ୍ରହ ଦେଖାନ୍ତି, ସେମାନେ ଯଦି ଦଶହରା ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ପରଦାକୁ ନ ଆସନ୍ତି, ତେବେ ଦର୍ଶକଙ୍କ ନିରାଶାକୁ ଅସ୍ୱାଭାବିକ କୁହାଯାଇପାରିବ ନାହିଁ । ଦଶହରା ଓଡ଼ିଆ ସିନେମା ପାଇଁ ଏକ ବଡ଼ ରିଲିଜ୍ ସମୟ । ଲମ୍ବା ଛୁଟି ଥିବାରୁ ଓଡ଼ିଆ ଦର୍ଶକ ପରିବାର ସହ ଫିଲ୍ମ ଦେଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଫଳରେ ଏହି ସମୟକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥାଏ। ଏଭଳି ସମୟରେ ଯଦି ବଡ଼ ଷ୍ଟାରଙ୍କ ଫିଲ୍ମ ରିଲିଜ୍ ହେଉନାହିଁ ତେବେ ଦର୍ଶକଙ୍କ ମନରେ ନିରାଶ ଆସିବା ସ୍ୱାଭାବିକ । ଏବେ ପ୍ରଶ୍ନ ଉଠୁଛି ଏହା ପଛରେ କାରଣ କ’ଣ ହୋଇପାରେ । ଭଲ କାହାଣୀର ଅଭାବ, ନିର୍ମାଣରେ ବିଳମ୍ବ, ରିଲିଜ୍ ନେଇ ଅନିଶ୍ଚିତତା, ନା ବକ୍ସ ଅଫିସରେ ବିଫଳ ହେବାର ଭୟ । ଏହାର ସଠିକ୍ ଉତ୍ତର ସମ୍ପୃକ୍ତ ନିର୍ମାତା ଓ କଳାକାରମାନେ ହିଁ ଦେଇପାରିବେ । ତଥାପି ଏତିକି ସ୍ପଷ୍ଟ ଯେ, ଷ୍ଟାରଡମର ଦାବି କରୁଥିବା କଳାକାରଙ୍କଠାରୁ ଦର୍ଶକ ଅଧିକ ଆଶା ରଖିବା ସ୍ୱାଭାବିକ ।
ଯେତେବେଳେ ଫିଲ୍ମର ପ୍ରଚାର କରିବାର କଥା ଆସେ ସେତେବେଳେ ଷ୍ଟାରଙ୍କ ଲୋକପ୍ରିୟତାକୁ ଆଗରେ ରଖାଯାଏ । ଫ୍ୟାନ୍ସମାନଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହୁଏ । ତା’ହେଲେ ସେହି ଫ୍ୟାନ୍ସମାନଙ୍କ ପାଇଁ ଦଶହରା ଭଳି ସମୟରେ ନୂଆ ଫିଲ୍ମ ଆଣିବା ଦିଗରେ ଉଦ୍ୟମ କେତେ ହେଉଛି । ଦର୍ଶକ କେବଳ ପୋଷ୍ଟର, ଟିଜର, ଗୀତ ଓ ସୋସିଆଲ ମିଡ଼ିଆର ପ୍ରଚାର ଦେଖି ଖୁସି ହେବେ ନାହିଁ । ସେମାନେ ହଲକୁ ଯାଇ ନିଜ ପ୍ରିୟ ତାରକାଙ୍କ ଅଭିନୟ ଦେଖିବାକୁ ଚାହାନ୍ତି । ଷ୍ଟାରଡମର ପ୍ରକୃତ ମୂଲ୍ୟ କେବଳ ଫ୍ୟାନ୍ସଙ୍କ ସଂଖ୍ୟାରେ ନୁହେଁ, ଦର୍ଶକଙ୍କୁ ଭଲ ସିନେମା ଦେବାରେ ରହିଛି । ଓଲିଉଡ଼ର ତଥାକଥିତ ସୁପରଷ୍ଟାରମାନେ ଏହି କଥା କେବେ ବୁଝିବେ, ତାହା ଦେଖିବାକୁ ବାକି ରହିଲା ।
ଓଲିଉଡ଼ ପାଇଁ ଏବେ ଆତ୍ମ ସମୀକ୍ଷାର ସମୟ । ଖାଲି ଷ୍ଟାରଡମର ପ୍ରଚାର ନୁହେଁ, ଭଲ କାହାଣୀ, ଗୁଣାତ୍ମକ ସିନେମା ଓ ଦର୍ଶକଙ୍କ ପ୍ରତି ସମ୍ମାନ ହିଁ ଶିଳ୍ପକୁ ଆଗକୁ ନେଇପାରିବ । ନଚେତ୍ ଦର୍ଶକଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନ ଆଗାମୀ ଦିନରେ ଆହୁରି ତୀବ୍ର ହେବ । ଯେଉଁମାନଙ୍କୁ ଆମେ ସୁପରଷ୍ଟାର କରିଛୁ, ସେମାନେ ଓଡ଼ିଆ ସିନେମା ପାଇଁ ପ୍ରକୃତରେ କ’ଣ କରୁଛନ୍ତି ।













Leave a Reply