ମୁମ୍ବାଇ,୧/୯ : ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆରସିପିଏଲ) ଆଇସକ୍ରିମ୍ ବଜାରରେ ପ୍ରବେଶ କରିଛି। କମ୍ପାନୀ ‘ବମ୍ବେ କ୍ରିମେରୀ’ ନାମକ ଏକ ନୂତନ ଆଇସକ୍ରିମ୍ ବ୍ରାଣ୍ଡ ଶୁଭାରମ୍ଭ କରିଛି, ଯାହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହେଉଛି । ବମ୍ବେ କ୍ରିମେରୀ ଆଇସକ୍ରିମ୍ ଅସଲି ଡେରୀ କ୍ରିମ୍ ବ୍ୟବହାର କରି ପ୍ରସ୍ତୁତ କରାଯିବ। କମ୍ପାନୀ କୋନ୍, କପ୍, ଟବ୍, ବାର୍ ଏବଂ ଷ୍ଟିକ୍ ସମେତ ବିଭିନ୍ନ ଫର୍ମାଟରେ ବଜାରରେ ଉତ୍ପାଦ ପ୍ରଚଳନ କରିଛି। ସମ୍ପ୍ରତି ପଶ୍ଚିମ ଭାରତରେ ବିକ୍ରି ଆରମ୍ଭ ହେଉଛି, ଏବଂ ଖୁବ୍ ଶୀଘ୍ର ଦେଶବ୍ୟାପୀ ଏହି ଆଇସକ୍ରିମ ଉତ୍ପାଦ ଉପଲବ୍ଧ କରାଇବାର ଯୋଜନା ରହିଛି ।
ଆରସିପିଏଲ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହା ବମ୍ବେ କ୍ରିମେରୀକୁ ସୁଲଭ ମୂଲ୍ୟରେ ଉପଲବ୍ଧ ଏକ ପ୍ରିମିୟମ୍ ଡେରୀ ଅନୁଭବ ପ୍ରଦାନ କରୁଥିବା ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରୁଛି। ଏହାର ବ୍ୟାପକ ବିତରଣ ନେଟୱାର୍କ, ରିଟେଲ ଉପଲବ୍ଧତା ଏବଂ ଗ୍ରାହକ ଅନ୍ତର୍ଦୃଷ୍ଟି ସହାୟତାରେ କମ୍ପାନୀ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହି ବର୍ଗରେ ପ୍ରବେଶ କରୁଛି । ଆରସିପିଏଲର ନିର୍ଦ୍ଦେଶକ ଟି. କୃଷ୍ଣକୁମାର କହିଛନ୍ତି ଯେ ବମ୍ବେ କ୍ରିମେରୀ ଆଇସକ୍ରିମ କ୍ଷୀର ବା ଡେରୀର ପ୍ରକୃତ ପରିଚୟକୁ ବଜାୟ ରଖିବା ଭାବନା ନେଇ ପ୍ରସ୍ତୁତ କରାଯାଇଛି। କମ୍ପାନୀ ସୂଚନା ଅନୁଯାୟୀ ଏହା ଭାରତୀୟ ପରିବାର ପାଇଁ ସୁଲଭ ମୂଲ୍ୟରେ ପ୍ରକୃତ କ୍ଷୀର କ୍ରିମରୁ ତିଆରି ଆଇସକ୍ରିମ ଉପଲବ୍ଧ କରିବାକୁ ଚାହୁଁଛି ।
ବମ୍ବେ କ୍ରିମେରୀ ସହିତ, ଆରସିପିଏଲ ପ୍ରଥମ ଥର ପାଇଁ ଆଇସକ୍ରିମ ବର୍ଗରେ ପ୍ରବେଶ କରୁଛି। ଆରସିପିଏଲ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏଫଏମସିଜି କମ୍ପାନୀ, ଯାହା ବିଭିନ୍ନ ଉପଭୋକ୍ତା ଉତ୍ପାଦ ବର୍ଗରେ ଏହାର ଉପସ୍ଥିତି ବିସ୍ତାର କରୁଛି।













Leave a Reply