ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ! ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୯/୯ : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି | ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଫଳରେ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ।

ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ।

୧୦ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଅଛି।

୧୧ ତାରିଖରେ କୋରାପୁଟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖରେ କୋରାପୁଟ ଓ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।

ବର୍ଷା ପାଗ ସତ୍ତ୍ବେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ନାକେଦମ କରିଥିଲା । ଖରାଦିନ ଭଳି ଅନୁଭବ ହେଉଥିଲା। ଗୋପାଳପୁରରେ ସର୍ବାଧିକ ୩୬.୬ ଡିଗ୍ରୀ ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *