ଅଭିନେତା ରାଜପାଲ ଯାଦବଙ୍କ ପାଇଁ ବଢ଼ିଲା ଅଡୁଆ: 5 କୋଟି ନହଲେ ଜେଲ

ନୂଆଦିଲ୍ଲୀ, ୯/୯; ପୁଣି ଚର୍ଚାରେ ଜଣାଶୁଣା ବଲିଉଡ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାକୁ ନେଇ ପୁଣି ଚର୍ଚାର ପରିସରକୁ ଆସିଛନ୍ତି ଅଭିନେତା ରାଜପାଲ ଯାଦବ | ଚେକ୍ ବାଉନ୍ସ ମାମଲା ଯୋଗୁଁ ଗତ କିଛି ଦିନ ଧରି ଖବରରେ ରହି ଆସୁଥିବା ବେଳେ, ଏବେ ତାଙ୍କୁ ଜେଲ ହେବା ନେଇ ଖବର ଆସିଛି ।

ପୂର୍ବରୁ ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ମାମଲାର ଶୁଣାଣି କରି ଯାଦବଙ୍କୁ ଏକ ବଡ଼ ଝଟକା ଦେଇଥିଲେ। କୋର୍ଟ ତାଙ୍କୁ ଏହି ମାମଲାରେ ତିନି ମାସ ଜେଲଦଣ୍ଡ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ଦଣ୍ଡାଦେଶକୁ ବଜାୟ ରଖିବା ନିଷ୍ପତ୍ତି ବିରୋଧରେ ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାଜପାଲ ଯାଦବଙ୍କୁ ୫ କୋଟି ଟଙ୍କା ଜମା କଲେ ହିଁ ଆତ୍ମସମର୍ପଣରୁ ମୁକ୍ତି ମିଳିବ ବୋଲି କହିଛନ୍ତି | ଏଥିସହ କୋର୍ଟ ରାଜପାଲଙ୍କୁ ୯ ସେପ୍ଟେମ୍ବର ବୁଧବାର ସୁଦ୍ଧା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜପାଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଅର୍ଥ ଜମା ନକରନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି |

ସୂଚନାଯୋଗ୍ୟ, ଏହି ମାମଲାଟି ୨୦୧୦ ମସିହାରୁ ଚାଲିଆସୁଛି । ଚଳଚ୍ଚିତ୍ର ପ୍ରଯୋଜକ ଓ ଫାଇନାନ୍ସର ‘ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ଠାରୁ ରାଜପାଲ ଯାଦବ ନିଜର ଚଳଚ୍ଚିତ୍ର ‘ଅଟା ପାଟା ଲାପାଟା’ ପାଇଁ ୫ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ଫେରସ୍ତରେ ବିଳମ୍ବ ହେବାରୁ ୨୦୧୩ରେ ଉଭୟ ପକ୍ଷଙ୍କ ମଧ୍ୟରେ ୧୦.୪୦ କୋଟି ଟଙ୍କାର ଏକ ଚୁକ୍ତିନାମା ହୋଇଥିଲା। ଏଥିପାଇଁ ଦିଆଯାଇଥିବା ଚେକ୍ ବାଉନ୍ସ ହେବା ପରେ ରାଜପାଲ, ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରଡକ୍ସନ କମ୍ପାନୀ ବିରୋଧରେ ଧାରା ୧୩୮ ଅଧୀନରେ ମାମଲା ରୁଜୁ ହୋଇଥିଲା ।

୨୦୧୮ ମସିହାରେ ଟ୍ରାୟଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତିନି ମାସର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଗତ ଜୁଲାଇ ମାସରେ ଏହି ଦଣ୍ଡକୁ କାଏମ ରଖିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |

Leave a Reply

Your email address will not be published. Required fields are marked *