ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରେ ଭୂସ୍କଳନ ସୁରକ୍ଷା ନେଇ ଆଶଙ୍କା

ଖୁଣ୍ଟା , ୨୯/୯:
ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରେ ଭୂସ୍କଳନ ହୋଇଛି |ଅଭୟାରଣ୍ୟର ଠାକୁରମୁଣା ବନ୍ୟପ୍ରାଣୀ ରେଞ୍ଜର କେଶଡିହା ଗ୍ରାମ ପଞ୍ଚାୟତର ନୂଆ କେଶଡିହା ଓ ଚଣ୍ଡିଖାମାନ ଗାଁ ନିକଟରେ ଘଟିଛି। ରାତି ପ୍ରାୟ ୩ଟା ସମୟରେ ପାହାଡ଼ର ଏକ ଅଂଶ ହଠାତ୍ ଭାଙ୍ଗିବା ଉଚ୍ଚ ଶବ୍ଦ ହୋଇ ମାଟି ତଳକୁ ଖସିପଡ଼ିଥିଲା। ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ମାନେ ଏହି ଶବ୍ଦ ଶୁଣି ଆତଙ୍କିତ ଓ ଭୟଭୀତ ହୋଇଥିଲେ ଧସିଯାଇଥିବା ଅଂଶଟି ପ୍ରାୟ ୩୦ ଫୁଟ ଚଉଡ଼ା ଓ ପ୍ରାୟ ଦୁଇ କିଲୋମିଟର ଲମ୍ବା ଥିଲା। ଏହି ଭୂସ୍ଖଳନରେ ଜଙ୍ଗଲର ଅନେକ ମୂଲ୍ୟବାନ ଗଛ ନଷ୍ଟ ହୋଇଛି। ଲଗାତାର ଭାରି ବର୍ଷା କାରଣରୁ ସ୍ଥାନୀୟ ଲୋକ ମାନେ ଆଉ ଅଧିକ ପାହାଡ଼ ଧସିଯିବାର ଆଶଙ୍କା କରୁଛନ୍ତି। ନୂଆ କେଶଡିହା ଓ ଚଣ୍ଡିଖାମାନ ଗାଁର ଗ୍ରାମବାସୀ ମାନେ କହିଛନ୍ତି ଯେ ସେମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି ଓ ଯେକୌଣସି ସମୟରେ ଆଉ ଏକ ଘଟଣା ଘଟିପାରେ ବୋଲି ଭୟ କରୁଛନ୍ତି। ଅଧିକାରୀ ମାନେ ଲୋକ ମାନଙ୍କୁ ସେହି ସ୍ଥାନରୁ ଦୂରେ ରହିବାକୁ ପରାମର୍ଶ ଦେଇଛନ୍ତି। ଆଉ ବର୍ଷା ହେଲେ ଅଧିକ ମାଟି ଓ ପଥର ଖସିପାରେ। ଏହି ଘଟଣାର ଖବର ପାଇବା ପରେ ମହୁଲାଡିହା ପୋଲିସ୍ ଓ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ପାହାଡ଼ର ଅବସ୍ଥା ଯାଞ୍ଚ କରୁଛନ୍ତି ଓ ଆଖପାଖ ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ନଜର ରଖୁଛନ୍ତି। ସ୍ଥାନୀୟ ବାସିନ୍ଦା ମାନେ ପ୍ରଶାସନ ଓ ବନ ବିଭାଗକୁ ପାହାଡ଼ ଉପରେ ନିରନ୍ତର ନଜର ରଖିବା ଓ ଲୋକ ଓ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ପାହାଡ଼ ଅଞ୍ଚଳରେ ଚାଲିଥିବା ବର୍ଷା ନିକଟବର୍ତ୍ତୀ ଗ୍ରାମବାସୀ ମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ସେମାନେ ପାହାଡ଼ର ଅବସ୍ଥା ଉପରେ ନିରନ୍ତର ନଜରଦାରୀ ଓ ଆଉ କୌଣସି ବିପଦ ଦେଖାଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି। କର୍ତ୍ତୃପକ୍ଷ ସେହି ଅଞ୍ଚଳକୁ ନଜରରେ ରଖିଛନ୍ତି ଓ ପାଣିପାଗ ଉନ୍ନତ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *