ଖୁସି, କିଛି ମୁହୂର୍ତ୍ତର…

ସହରାଭିମୁଖୀ ଜନସମାଜ , ମନରେ ଅନେକ ଆଶା ଓ ବିଶ୍ୱାସ ନେଇ ଚାଲି ଆସନ୍ତି । ହେଲେ ସହରର ଚାକଚକ୍ୟ ,ସୁସଜ୍ଜିତ ଆଲୋକମାଳା ଏବଂ ସୁଉଚ୍ଚ ଅଟ୍ଟାଳିକା ସବୁରି ମନକୁ କିଣି ନିଏ ସତ କିନ୍ତୁ ଦେଖିଥିବା ସ୍ବପ୍ନକୁ ପୂରଣ କରି ପାରେନା ।ସ୍ୱପ୍ନ ପୂରଣ ହେବା ତ ଦୂରର କଥା, ବଞ୍ଚିବା ନିମନ୍ତେ ସଂଘର୍ଷ କରିବାକୁ ପଡ଼ିଥାଏ ।

ଦୀପାବଳୀ ପାଳନ ଅବସରରେ ସବୁ ଘରକୁ ସଜାଇବା ରେ ଲାଗି ପଡ଼ିଥାନ୍ତି । ବିଭିନ୍ନ ପ୍ରକାରର ସାମଗ୍ରୀ ଯେମିତି ସୁସ୍ୱାଦୁ ପିଠାପଣା ସହ ଭିନ୍ନ ଭିନ୍ନ ମିଠାଇ ,ଆଲୋକ ମାଳା ସହ ଦୀପ ,ବାଣ ଇତ୍ୟାଦି । ଏସବୁ କାମ ଭିତରେ ସମୟ କେତେବେଳେ ଚାଲିଯାଏ ଜାଣି ହୁଏନାହିଁ।ବେଳେବେଳେ ମନେହୁଏ ସତରେ ଘଣ୍ଟା କଣ୍ଟାର ଟିକ୍ ଟିକ୍ ଧ୍ୱନି ଟିକେ ଧୀର ହୋଇ ଯାଆନ୍ତା କି ! ଆଉଟିକେ ମଜା ନେଇ ହୁଅନ୍ତା । ଦୀପାବଳୀର ପୂର୍ବରୁ ଛୋଟ ପିଲାମାନେ ଦିଆସିଲି ,ଟିକିଲି ,ଝୁର୍ଝୁରି ପରି ବାଣ ଫୁଟାଇ ଖୁସି ଅନୁଭବ କରନ୍ତି । ଏ ସବୁ ଦେଖି ଖୁସି ଲାଗେ ,ତାସହ ପିଲାଦିନର ସ୍ମୃତି ପୁଣିଥରେ ସତେଜ ହୋଇ ଉଠେ।

ପିଲାଟି ଦିନରୁ ଯେଉଁ ପ୍ରଥା ପ୍ରଚଳିତ ହେବାର ଦେଖା ହେଉଥିଲା ,ସେଥିରେ କିଛିଟା ପରିବର୍ତ୍ତନ ହୋଇଥିଲେ ମଧ୍ୟ ଅନେକ ତାକୁ ବଜାୟ ରଖିଛନ୍ତି ।ମୁଁ କିଛି ଉପହାର ଭାବରେ ମିଠା ଓ ବାଣ ନେଇ ପଡ଼ୋଶୀଙ୍କ ଘରମାନଙ୍କୁ ବାହାରି ଥାଏ । ହଠାତ୍ ଦେଖିବାକୁ ପାଇଲି ଗୋଲାପୀ ରଙ୍ଗର ଫ୍ରକ ଟିଏ ପିନ୍ଧି ଶ୍ୟାମଳ ରଙ୍ଗର ଝିଅଟିଏ ବୟସ ପାଖାପାଖି ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ହେବ , ଅନତି ଦୂର ରେ ଠିଆ ହୋଇଛି । ଚଞ୍ଚଳମନା ଏବଂ ଖୁସି ମିଜାଜ୍ ର ଅଟେ । କାହିଁକିନା ଅନ୍ୟମାନେ ବାଣ ଫୁଟାଇ ବାର ଦେଖି ତାର ଖୁସି ଯେମିତି କହିଲେ ନସରେ ।

ଖୁବ୍ କମ୍ ଲୋକ ଥାନ୍ତି ,ଯିଏକି ଅନ୍ୟର ଖୁସିରେ ଖୁସି ହୁଅନ୍ତି । ସତେ ଯେମିତି ସେ ଶବ୍ଦ ଏବଂ ଝରି ପଡୁଥିବା ରଙ୍ଗବେରଙ୍ଗ ଅଗ୍ନି ଦୀପାବଳୀର ସବୁତକ ଖୁସି ତାରି ପାଖରେ ଅଜାଡ଼ି ଦେଇଛି । ଆତ୍ମବିଭୋର ହୋଇ ଚାଲି ଯାଇଥିଲି ତାରି ପାଖକୁ କେବଳ ତା ବିଷୟରେ ଜାଣିବା ପାଇଁ ,କିନ୍ତୁ ବୋଧେ ଟିକେ ଡରି ଯାଇଥିଲା । କିଛି ସମୟ ପରେ ତା ନାଁ ଖୁସି କହିଥିଲା । ନାଁ ଅନୁସାରେ ଅଳ୍ପକେ ଖୁସିହେବା ଯେମିତି ସେ ଶିଖି ଯାଇଥିଲା ।ଆଉ କିଛି ପଚାରିବା ଆଗରୁ ଆମ ପଡୋଶୀ ଗୋଲୁ ଆସି କହିଲା — ” ଆଣ୍ଟି ଜାଣିଛ,ଏ ଆମ କଲୋନୀରେ ରହୁଛନ୍ତି । ଖୁସିର ମାଆ ପ୍ରମୋଦ ଅଙ୍କଲ୍ ଙ୍କ ଘରେ କାମ କରୁଛନ୍ତି , ମମି କହୁଥିଲେ ଆମଘରେ ବି କରିବେ ।

ବାଣ ପ୍ୟାକେଟ୍ ଗୋଟାଏ ହାତକୁ ବଢ଼ାଇବା ବେଳକୁ ମା ରାଗିବ କହି ଧରି ନ ଥିଲା। ତାର କଥାକୁ ସମ୍ମାନ ଜଣାଇ ସାଙ୍ଗରେ ନେଇ ପ୍ରମୋଦ ବାବୁଙ୍କ ଘର ଭିତରକୁ ଯାଇଥିଲି । ପତିପତ୍ନୀ ଦୁହେଁ ପରୋପକାରୀ ଏବଂ ଧର୍ମପରାୟଣା ଅଟନ୍ତି । ସମସ୍ତ ଙ୍କ ଦୁଃଖସୁଖରେ ଠିଆ ହେବା ଦୁହିଁଙ୍କର ଅଭ୍ୟାସ ।ସବୁ ବିଷୟରେ ଜାଣିବା କୁ ପାଇଥିଲି —–

” ପତିପତ୍ନୀ ଦୁହେଁ ଛୋଟ ଝିଅଟିକୁ ନେଇ ଚାଲି ଆସିଥିଲେ ଭୁବନେଶ୍ୱର ସହରକୁ ମିଶି କାମ କରିବେ ଏବଂ କିଛି ଅର୍ଥ ସଂଗ୍ରହ କରି ଜନ୍ମ ମାଟିରେ ନିଜ ପାଇଁ ଘରଟିଏ ତୋଳିବେ । ଦେଖିଥିବା ସ୍ୱପ୍ନ ଓ ବିଧିର ବିଧାନ କିଛି ଅଲଗା ହୋଇଥାଏ ।ସ୍ବପ୍ନକୁ ପୂରଣ କରିବା ପୂର୍ବରୁ ସ୍ୱାମୀର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା ।ଆଜି ବି ସମାଜରେ ଅନ୍ଧବିଶ୍ୱାସ ରହିଛି,ସ୍ୱାମୀର ମୃତ୍ୟୁ ପାଇଁ ସ୍ତ୍ରୀକୁ ଦାୟୀ କରାଯାଏ।ଏପରି କିଛି ଦୁଃଖଦ ଘଟଣା ଘରକୁ ଫେରିବାର ବାଟକୁ ବନ୍ଦ କରି ଦେଇଥିଲା। ବେସାହାରା ହୋଇ ପଡ଼ିଥିବା ବେଳେ ପ୍ରମୋଦ ବାବୁ ଓ ତାଙ୍କ ପତ୍ନୀ ମା ,ଝିଅ ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଆସିଥିଲେ ।ମୁଁ ଗାଁକୁ ଯାଇ ଥିବାରୁ ଏ ବିଷୟରେ ଅବଗତ ନଥିଲି ।ସବୁ ଶୁଣି ସାରିବା ପରେ ଖୁସି ତ ଥିଲି କିନ୍ତୁ କିଛି ବାଣ ଏବଂ ମିଠାକୁ ଧରି ଖୁସି ର ଯେଉଁ ଆନନ୍ଦ ମନରେ ଭରି ଯାଇଥିଲା ତାହା ଅବର୍ଣ୍ଣନୀୟ ।

କିଛି ମୁହୂର୍ତ୍ତର ଖୁସି ଜୀବନରେ ପରିବର୍ତ୍ତନ ଆଣିଥାଏ ସତ କିନ୍ତୁ ସେ ଖୁସିଟିକେ ପାଇଁ କେତେ ଯେ କଷ୍ଟକୁ ଆପଣାଇବାକୁ ହୁଏ ତାହା ଅବର୍ଣ୍ଣନୀୟ । ବେଳେବେଳେ ସେତିକି ମାଧ୍ୟ ସ୍ୱପ୍ନ ହୋଇ ରହିଯାଇଥାଏ ।

ସଂଯୁକ୍ତା ଦାଶ

କଳିଙ୍ଗ ବିହାର, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *