ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ରାଜ୍ୟରେ ବେଆଇନ ଔଷଧ ବିକ୍ରି ରୋକିବାକୁ ଡ୍ରଗ୍ସ ବିଭାଗର ବଡ଼ ଅଭିଯାନ। ଏକାଥରକେ ୨୨୦ ଔଷଧ ଦୋକାନରେ ରେଡ୍ କରିଛି ବିଭାଗ। ରାଜ୍ୟରେ ଚାଲିଛି ବେଆଇନ ଔଷଧ ବିକ୍ରି | ତେବେ ଏନେଇ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ବଡ଼ ଧରଣର ଚଢ଼ାଉ କରିଛି । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ବର୍ଷ ବର୍ଷ ଧରି ପ୍ରଶାସନର ନଜର ଆଢୁଆଳରେ ବେଆଇନ ଭାବେ ଚାଲିଛି ବ୍ୟବସାୟ । ନିଶାମୁକ୍ତ ଅଭିଯାନ ପାଇଁ ଚଳିତ ମାସ ୧ ତାରିଖରୁ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଓ ଦୋକାନରେ ଚଢ଼ାଉ କରୁଛନ୍ତି । ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରାଲର ଏବଂ ଡ୍ରଗ୍ ଇନ୍ସପେକ୍ଟରମାନେ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ଔଷଧର ଗୁଣବତ୍ତା ସହ ଏହାର ବିକ୍ରି ନିୟମ ଯାଞ୍ଚ କରାଯାଉଛି ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୦୦ ଆମ୍ପୁଲ୍ ପେଣ୍ଟଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ୭୦ ହଜାର ଟଙ୍କା ହେବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, ନୂଆପଡ଼ା ଜିଲ୍ଲାର ଜୋଙ୍କ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସ ବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧ ଲକ୍ଷ ୯୨ ହଜାର ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ବିଭାଗ ସୂଚନା ଦେଇଛି ।













Leave a Reply