‘ପ୍ରତୀକ୍ଷା’ ପରେ ‘ଦଶାହ’ ; ହନୁମାନ ମନ୍ଦିରରେ ହେଲା ଶୁଭ ମହୁରତ

ଭୁବନେଶ୍ବର,୨୦/୧୧ : ଓଲିଉଡର ଚର୍ଚ୍ଚିତ ତଥା ଲୋକପ୍ରିୟ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିଜର ଆଗାମୀ ସିନେମା ‘ଦଶାହ’ର ଶୁଭ ମହୁରତ ହନୁମାନ ମନ୍ଦିର ପ୍ରାଙ୍ଗଣରେ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ସଂଘମିତ୍ରା ବେହେରାଙ୍କ ସମେତ ସମସ୍ତ କାଷ୍ଟ ଏବଂ କ୍ରି୍ୟୁ ଏକାଠି ହୋଇଥିଲେ l

‘ଦଶାହ’ କେବଳ ଏକ ସିନେମା ନୁହେଁ, ବରଂ ଏହା ଓଡ଼ିଶାର ମାଟି, ପରମ୍ପରା, ଆବେଗ ଏବଂ ଜୀବନ-ମୃତ୍ୟୁର ରହସ୍ୟ ଉପରେ ଆଧାରିତ ଏକ ନିଆରା କାହାଣୀ। “କିଛି ବିଦାୟ କେବେ ବି ଅନ୍ତିମ ନୁହେଁ” – ଏହି ସ୍ପର୍ଶକାତର ଟ୍ୟାଗଲାଇନ୍ ସହିତ ନିର୍ଦ୍ଦେଶକ ଦର୍ଶକଙ୍କୁ ଏକ ଅଦେଖା ଦୁନିଆକୁ ନେଇଯିବାର ସଙ୍କେତ ଦେଇଛନ୍ତି। ଯେଉଁମାନେ ‘ପ୍ରତୀକ୍ଷା’କୁ ନିଜର କରିଥିଲେ, ସେହି ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଅନୁପମ ଏହି ନୂଆ ପ୍ରୋଜେକ୍ଟକୁ ଉତ୍ସର୍ଗ କରୁଥିବା କଥା କହିଥିଲେ l ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଏବଂ ଶୁଭମ୍ ସିନେ ପ୍ରଡକସନ୍ସର ମିଳିତ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ବର୍ଷା ପଟ୍ଟନାୟକ ଏବଂ ସଂଘମିତ୍ରା ବେହେରା l

ବରିଷ୍ଠ ଅଭିନେତା ରତନ ମେହେର, ସୁକାନ୍ତ ରଥ, ମନ୍ମୟ ଦେ, ନିରଞ୍ଜନ ମହାପାତ୍ର, ଉମା, ଭବାନୀ, ଖୋକନ, ହାରୀ,  ଅଭିନେତ୍ରୀ ସୋମା ଭୌମିକ, ମମତା ପଣ୍ଡା, ସମର୍ପିତା ଦାଶ ଏବଂ ଶିଶୁ କଳାକାର ଶିଭମ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି l ଏହାର ଚିତ୍ରତ୍ତୋଳନ ଦାୟିତ୍ୱ ସବୁଥର ପରି ଦୀପକ କୁମାର ରହିଛନ୍ତି ଏବଂ ରଶ୍ମି ରଞ୍ଜନ ଦାଶ ସମ୍ପାଦନା ଦାୟିତ୍ୱ ବହନ କରିଛନ୍ତି l ସଂଳାପ ସୌମ୍ୟ ରଞ୍ଜନ ପଣ୍ଡା ଏବଂ ଅନୁପମ ପଟ୍ଟନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଆଶୀଷ ପ୍ରଧାନ ଏବଂ ଅନୁରାଗ ପଟ୍ଟନାୟକ ଦେଇଛନ୍ତି l  କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଗୋପାଳ ଚନ୍ଦ୍ର ଘଡେଇ ଏବଂ ପ୍ରଚାର ଓ ପ୍ରସାର ଦାୟିତ୍ୱ ପ୍ରଣୟ ଜେଠୀ ତୁଲାଉଛନ୍ତି l

ତେବେ, ନିଜର ନିଖୁଣ କାହାଣୀ କହିବାର ଶୈଳୀ ପାଇଁ ପ୍ରଶଂସା ସାଉଁଟିଥିବା ଅନୁପମ ପଟ୍ଟନାୟକ, ଏବେ ‘ଦଶାହ’ ଜରିଆରେ ମୃତ୍ୟୁ ପରର ରହସ୍ୟ ଓ ପାରମ୍ପରିକ ଆବେଗକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି। ଦଶାହ, ସିନେମା ଜଗତରେ ଏକ ନୂଆ ଉତ୍ସାହ ଖେଳାଇବ ଏବଂ ଦର୍ଶକ ଏହି ନୂତନ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

Leave a Reply

Your email address will not be published. Required fields are marked *