ଦୁଇ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଭୁବନେଶ୍ବର,୨୨/୬ : ନୟାପଲ୍ଲୀ ଥାନା ପୋଲିସର ବଡ଼ ସଫଳତା । ଏକ ଠକ୍ ଗ୍ୟାଙ୍ଗକୁ ଧରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଚୋରୀସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ଗତ ୨୦ତାରିଖ ପୂର୍ବାହ୍ନ ପ୍ରାୟ ୧୧.୩୦ ରୁ ୧୨.୦୦ ମଧ୍ୟରେ ଅଭିଯୋଗକାରିଣୀ ନିଜ ସ୍କୁଟିରେ ଡେଲ୍ଟା ଛକରୁ ଷ୍ଟୁଆର୍ଟ ଛକ ଅଭିମୁଖେ ଯାଉଥିବା ବେଳେ ଏକ ମୋଟରସାଇକେଲରେ ଆସିଥିବା ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେଇ ପଳାଇ ଯାଇଥିଲେ। ଉକ୍ତ ବ୍ୟାଗରେ ଦୁଇଟି ମୋବାଇଲ ଫୋନ, ନଗଦ ୧୭,୮୦୦/- ଟଙ୍କା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ଥିଲା। ଅଭିଯୋଗକାରିଣୀ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ବିଭିନ୍ନ ସୂଚନା ସଂଗ୍ରହରୁ ଜଣାପଡ଼ିଥିଲା ଯେ, ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଭ୍ୟାନିଟି ବ୍ୟାଗ୍ ଛଡ଼ାଇବା ଘଟଣାରେ ସମ୍ପୃକ୍ତ ଏକ ସଂଗଠିତ ଗ୍ୟାଙ୍ଗ କାର୍ଯ୍ୟ କରୁଛି। ଆଜି ନିର୍ଭରଯୋଗ୍ୟ ସୂଚନା ଆଧାରରେ ଷ୍ଟୁଆର୍ଟ ଛକ ନିକଟରୁ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଅଭିଯୁକ୍ତ ଦେବାଶିଷ ପୂଜାପଣ୍ଡା ଏବଂ ରୁଦ୍ର ପ୍ରଧାନଙ୍କୁ କାବୁ କରାଯାଇଥିଲା। ପଚରାଉଚରା ବେଳେ ସେମାନେ ଉକ୍ତ ଘଟଣା ସହିତ ସହରର ଅନ୍ୟାନ୍ୟ ଭ୍ୟାନିଟି ଛଡ଼ାଇ ଘଟଣାରେ ସେମାନଙ୍କ ସମ୍ପୃକ୍ତି ସ୍ୱୀକାର କରିଥିଲେ। ସେମାନେ ସାଗର ନାୟକ ଉର୍ଫ ନେପୁ ଏବଂ ଶୁଭ ନାମକ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଚୋରି ମୋଟରସାଇକେଲ ଏବଂ ନକଲି ନମ୍ବର ପ୍ଲେଟ ବ୍ୟବହାର କରି ଏପରି ଅପରାଧ କରୁଥିବା ଜଣାପଡ଼ିଥିଲା।

ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ ଅଭିଯୋଗକାରିଣୀଙ୍କ ଚୋରି ହୋଇଥିବା ମୋବାଇଲ ଫୋନ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଘଟଣାରେ ବ୍ୟବହୃତ ଏକ ସ୍କୁଟି ସମେତ ତିନୋଟି ଗାଡ଼ି ମଧ୍ୟ ଜବତ କରାଯାଇଥିଲା। ତଦନ୍ତରୁ ଅଧିକ ଜଣାପଡ଼ିଥିଲା ଯେ, ଉଭୟ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ ଏବଂ କମିଶନରେଟ ପୁଲିସ ଅଞ୍ଚଳର ବିଭିନ୍ନ ଛଡ଼ାଇ ମାମଲାରେ ସମ୍ପୃକ୍ତ ଏକ ସଂଗଠିତ ଅପରାଧୀ ଗୋଷ୍ଠୀର ସଦସ୍ୟ।

ଅଭିଯୁକ୍ତ ରୁଦ୍ର ପ୍ରଧାନଙ୍କ ନାମରେ ଲୁଟ୍, ଚୋରି, ଅସ୍ତ୍ର ଆଇନ ଏବଂ ଛଡ଼ାଇ ସମ୍ବନ୍ଧୀୟ ୧୨ଟି ପୂର୍ବ ମାମଲା ଥିବା ବେଳେ, ଅଭିଯୁକ୍ତ ଦେବାଶିଷ ପୂଜାପଣ୍ଡାଙ୍କ ନାମରେ ଲୁଟ୍, ଚୋରି, ଚୋରି ସମ୍ପତ୍ତି ଗ୍ରହଣ, ଜାଲିଆତି ଏବଂ ଛଡ଼ାଇ ସମ୍ବନ୍ଧୀୟ ୧୩ଟି ପୂର୍ବ ମାମଲା ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବଶିଷ୍ଟ ଚୋରି ସାମଗ୍ରୀ ଉଦ୍ଧାର, ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତି ଯାଞ୍ଚ ଏବଂ ଫେରାର ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *