ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଗିରଫକୁ ନେଇ ଏକାଠି ହେଲେ ବିରୋଧୀ 

ଭୁବନେଶ୍ୱର/ ବ୍ୟୁରୋ ରିପୋର୍ଟ, ୧୪/୧୦: କକ୍ରୋଚ୍ ଜନତା ପାର୍ଟି (CJP)ର ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସ ଗିରଫ ।୧୩ ଅକ୍ଟୋବରରେ ଜନ୍ତରମନ୍ତରରେ ତିରଙ୍ଗା ଉଡ଼ାଇବା ପାଇଁ ସରକାର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜେଲ୍‌କୁ ପଠାଇଛି । ତେବେ ଏହି ଘଟଣା ପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। Cjp ସମର୍ଥନ ରେ ଅନେକ ବିରୋଧି ଏକତ୍ରିତ ହୋଇ ସମାନ ସ୍ୱର ରେ ସରକାର ବିରୋଧୀ ନାରା ଦେଉଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, DMK ନେତା ଏମ୍.କେ. ଷ୍ଟାଲିନ୍, AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, TMC ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଶିବସେନା (UBT) ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ଗିରଫ କରି ସରକାର ଯୁବମାନଙ୍କ ସ୍ୱରକୁ ଚୁପ୍ କରାଇପାରିବ ନାହିଁ।

ଏହାପରେ CJP ସଂସ୍ଥାପକ ଅଭିଜିତ୍ ଦୀପକେ ଏହି ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ INDIA ମେଣ୍ଟ, CJP ଓ ଅନ୍ୟାନ୍ୟ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଆକ୍ରାମକ ଅବସ୍ଥାନ ନେଇଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ସେହିସହିତ SIR ବା ବିଶେଷ ଗଭୀର ପୁନରୀକ୍ଷଣକୁ ରଦ୍ଦ କରିବାକୁ ମଧ୍ୟ ଦାବି ହେଉଛି।

ତିନୋଟି ଭିନ୍ନ ଭିନ୍ନ ପ୍ରତିବାଦ ମଧ୍ୟରେ ନେତାମାନେ ଏକତାର ବାର୍ତ୍ତା ଦେଉଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମୟରେ ତିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ ଏବଂ ଏହି କାରଣରୁ ଯୁବମାନଙ୍କୁ ଜେଲ୍‌କୁ ପଠାଇବା “କାପୁରୁଷତାପୂର୍ଣ୍ଣ ପଦକ୍ଷେପ”। ସେ କହିଛନ୍ତି, “ବ୍ୟାନର ଅଲଗା, କିନ୍ତୁ ଲକ୍ଷ୍ୟ ଗୋଟିଏ। ସମସ୍ତଙ୍କ ପ୍ରତିବାଦର ମୂଳ କାରଣ ଏକ-ନାଗରିକମାନେ ନିଜ ସାମ୍ବିଧାନିକ ଅଧିକାର ଦାବି କରୁଛନ୍ତି।” ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, “ଜନ୍ତରମନ୍ତର ଭାରତର ଲୋକଙ୍କର। ଆମେ ଏହାକୁ ପୁନର୍ବାର ପ୍ରତିବାଦ ସ୍ଥଳ ଭାବେ ବହାଲ କରିବୁ।”

ଏମ୍.କେ. ଷ୍ଟାଲିନ୍ କହିଛନ୍ତି, “ଏହି ସରକାର କେତେ ପ୍ରତିବାଦକାରୀଙ୍କୁ ଅଟକାଇପାରିବ? BJP କେତେ ଯୁବକ-ଯୁବତୀଙ୍କ ସ୍ୱରକୁ ଦମନ କରିପାରିବ? ସେମାନେ ଯେତେ ଅଧିକ ଯୁବକୁ ଜେଲ୍‌କୁ ପଠାଇବେ, ସେତେ ଅଧିକ ସାଧାରଣ ନାଗରିକ-ଯାହାଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ-ରାସ୍ତାକୁ ନାମିବେ ଏବଂ ଜନତାର ପ୍ରକୃତ ଶକ୍ତି ଦେଖାଇବେ।”

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗିରଫକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି-ନିଜ ଦେଶରେ ନିଜ ଜାତୀୟ ପତାକା ଉଡ଼ାଇବା କ’ଣ ଅପରାଧ? ଏହା ସମ୍ପୂର୍ଣ୍ଣ ଅବାକ୍ କରିଦେବା ଭଳି ଘଟଣା। ସରକାର ଓ ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ଭାବେ ଅଧିସୂଚନାରୁ ବାଦ ଦେଇଥିଲେ। ଏହାର ପ୍ରତିବାଦରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ୧୩ ଅକ୍ଟୋବରରେ ଗେଟ୍ ଟପି ଜନ୍ତରମନ୍ତରକୁ ପହଞ୍ଚିଥିଲେ। ସେମାନଙ୍କ ସହ କିଛି କର୍ମୀ ମଧ୍ୟ ଥିଲେ। ପୋଲିସ ସମସ୍ତଙ୍କୁ ହିରାସତକୁ ନେଇଥିଲା।

TMC ନେତା ଅଭିଷେକ ବାନାର୍ଜୀ କହିଛନ୍ତି, ଯେଉଁମାନେ ନିଜକୁ ସବୁଠାରୁ ବଡ଼ ରାଷ୍ଟ୍ରବାଦୀ ବୋଲି କହୁଛନ୍ତି, ସେମାନେ ଏବେ ଭାରତୀୟଙ୍କୁ ନିଜ ଦେଶରେ ତିରଙ୍ଗା ଉଡ଼ାଇବା ପାଇଁ ଗିରଫ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ଏହା ଶାନ୍ତି ଭଙ୍ଗ କରିବା ସମାନ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହାକୁ “BJPର ନୂଆ ପାକିସ୍ତାନ ସଦୃଶ ଭାରତ” ବୋଲି ଟୀକା କରିଛନ୍ତି।

ଅନ୍ୟପଟେ, ସକାଳେ ପୋଲିସ ରାଙ୍କା ଓ ଦାସଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲା। ସେଠାରୁ ସେମାନଙ୍କୁ ୫ ଦିନର ବିଚାର ବିଭାଗୀୟ ହିରାସତକୁ ପଠାଯାଇଥିଲା।

Leave a Reply

Your email address will not be published. Required fields are marked *