ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୪/୧୦: ୮ ବର୍ଷ ପରେ ଫେରିଲା ଛାତ୍ର ନିର୍ବାଚନ। ରାଜ୍ୟର ୩୫୯ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହେଉଛି ‘Why I Stand For’ ବୈଠକ। ପ୍ରାର୍ଥୀମାନେ ଗୋଟିଏ ମଞ୍ଚରୁ ନିଜ ନେତୃତ୍ୱ, ଦକ୍ଷତା ଓ ଲୋକପ୍ରିୟତାର ପ୍ରମାଣ ଦେବେ।
ଚଳିତ ଥର ନିର୍ବାଚନ ପ୍ରଚାର ପାଇଁ କମ୍ ସମୟ ମିଳିଥିବାରୁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ନିକଟତର ହେବାକୁ ଦିନରାତି ଏକ କରିଦେଉଥିବା ପରିଲକ୍ଷିତ ହେଉଛି। ଡୋର୍ କ୍ୟାମ୍ପନିଂରୁ ଆରମ୍ଭ କରି ସୋସିଆଲ୍ ମିଡିଆରେ ଯୋଗାଯୋଗ କରିବା ଓ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଭେଟି ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ପ୍ରାର୍ଥୀମାନେ ସବୁପ୍ରକାର ଉଦ୍ୟମ ଆପଣାଉଥିବା ଦେଖିବାକୁ ମିଳିଛି। କ୍ଲାସ୍ରୁମ୍, କ୍ୟାଣ୍ଟିନ୍, କମନ୍ରୁମ୍ ଓ ଲାଇବ୍ରେରିରେ ବି ପ୍ରାର୍ଥୀମାନେ ପହଞ୍ଚିଯାଉଛନ୍ତି। ଏଥିସହିତ କ୍ୟାମ୍ପସ ପରିସରରେ ଶୋଭାଯାତ୍ରା ଜାରି ରହିଛି। ତେଣୁ କ୍ଲାସ୍ରୁମ୍ରୁ କ୍ୟାମ୍ପସ ପର୍ଯ୍ୟନ୍ତ ସବୁଠି ପ୍ରଚାର ଦେଖିବାକୁ ମିଳୁଛି।
ଅନ୍ୟପଟେ କମିସନରେଟ୍ ପୁଲିସ ମଧ୍ୟ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାର ରଖିବାକୁ କସରତ କରୁଛି। ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ସଭା କାର୍ଯ୍ୟକ୍ରମ ଥିବାରୁ ପ୍ରାର୍ଥୀମାନେ ଶୋଭାଯାତ୍ରା କରିବେ। ତେଣୁ କ୍ୟାମ୍ପସରେ ପ୍ରଚାର ସମୟରେ ଗଣ୍ଡଗୋଳିଆ ସ୍ଥିତି ଉପୁଜିବା ଆଶଙ୍କା ରହିଛି। ପୂର୍ବରୁ ବହୁ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଛି। ତେଣୁ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ପୁଲିସ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରି ରଖିଛି।
ବଡ଼ କଲେଜଗୁଡ଼ିକରେ ତ୍ରିମୁଖୀ ଲଢ଼େଇ। ରେଭେନ୍ସା, ବାଣୀ ବିହାର, ସାମ୍ବଲପୁର ୟୁନିଭରସିଟିରେ ସବୁଠୁ ବେଶି ଚର୍ଚ୍ଚା।
ଆସନ୍ତାକାଲି ୧୫ ଅକ୍ଟୋବର ସକାଳ ୮ରୁ ଦିନ ୨ଟା ଭୋଟିଂ, ତା’ପରେ ଗଣତି ଓ ଫଳ ଘୋଷଣା। ୧୬ରେ ଶପଥ ଗ୍ରହଣ।












Leave a Reply