ପୁଣି ଚର୍ଚ୍ଚାରେ ଚୌଦ୍ବାର ସର୍କଲ ଜେଲ୍: ରାତିଅଧରେ ୪ କଏଦୀଙ୍କୁ ଥାର୍ଡଡିଗ୍ରି

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୪/୧୦: ଚୌଦ୍ୱାର ସର୍କଲ ଜେଲ୍ ପୁଣି ବିବାଦରେ। ରାତିଅଧରେ ୪ କଏଦୀଙ୍କୁ ଥାର୍ଡଡିଗ୍ରି ଦିଆଯାଇଥିବା ଅଭିଯୋଗ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି କଏଦୀଙ୍କୁ ସେଲ୍ ରୁ ବାହାର କରି ମାଡ଼ ମରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ଆସିଛି।ତେବେ ଜେଲ୍ କର୍ତ୍ତୃପକ୍ଷ ଏଯାଏ ଏ ନେଇ ସରକାରୀ ବିବୃତ୍ତି ଦେଇନାହାନ୍ତି। ଜଣେ ଆସିଷ୍ଟାଣ୍ଟ ଜେଲର୍ ଏଭଳି କାଣ୍ଡ ଘଟାଇଛନ୍ତି। ବିଳମ୍ବିତ ରାତିରେ ଏଭଳି ବେଆଇନ କାମକୁ ନେଇ ଜେଲ୍ରେ ଉତ୍ତେଜନା ସୃଷ୍ଟି ହୋଇଛି। କଏଦୀମାନେ ଏବେ ଆସିଷ୍ଟାଣ୍ଟ ଜେଲର୍ଙ୍କ ବିରୋଧରେ ମେଳି ବାନ୍ଧିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି।

ଚୌଦ୍ବାର ସର୍କଲ ଜେଲ୍ର ୪ ଓ ୫ ନମ୍ବର ବ୍ଲକ୍ର ୪୬ ନମ୍ବର ରୁମ୍ରେ ପାଖାପାଖି ୨୫ ଜଣ କଏଦୀ ରୁହନ୍ତି। ନିକଟରେ ରାତି ପ୍ରାୟ ୧୨ଟା ବେଳେ ଉକ୍ତ ରୁମ୍ରେ ତିନି ଜଣ କଏଦୀ ବିଡ଼ି ଟାଣୁଥିଲେ। ଏହି ଘଟଣାକୁ ନେଇ ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ଜେଲର୍ ଜଣେ ଜମାଦାର ଓ ଜଣେ ୱାର୍ଡରଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ। ଲକ୍ଅପ୍ ଖୋଲି ଭିତରେ ପଶିବା ପରେ ବିଡ଼ି ଟାଣୁଥିବା ତିନି କଏଦୀଙ୍କୁ ଲାଠିରେ ନିର୍ଘାତ ମାଡ଼ ମାରିଥିଲେ। ଏହି ତିନି ଜଣଙ୍କ ନିକଟରେ ବସିଥିବା ଆଉ ଜଣେ କଏଦୀ କଥାବାର୍ତ୍ତା ହେଉଥିବା ବେଳେ ସେ ମଧ୍ୟ ମାଡ଼ରୁ ବର୍ତ୍ତି ନଥିଲେ। ଉକ୍ତ ରୁମ୍ରେ ଲାଗିଥିବା ସିସି କ୍ୟାମେରାରେ ଏହି ଘଟଣା ରେକର୍ଡ ହୋଇଥିଲା। ଯେଉଁ କଏଦୀ ବିଡ଼ି ଟାଣୁ ନଥିଲେ ତାଙ୍କ ଗୋଡ଼ରେ ବି ଗଭୀର କ୍ଷତ ହୋଇଥିଲା।

ସେ ଚଲାବୁଲା କରି ନ ପାରିବାରୁ ପରଦିନ ତାଙ୍କୁ ଜେଲ୍ ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି କଏଦୀଙ୍କ ମାମୁ ଜେଲ୍ରେ ସର୍ଦ୍ଦାର ଦାୟିତ୍ବରେ ଥିବା ବେଳେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ନେଇ ଅଧିକ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଜେଲ୍ ପରିସରରେ ଆସିଷ୍ଟାଣ୍ଟ ଜେଲରଙ୍କ ଏଭଳି ଆଚରଣକୁ ତୀବ୍ର ବିରୋଧ କରାଯାଇଛି। ପରେ ସମ୍ପୃକ୍ତ ଆସିଷ୍ଟାଣ୍ଟ ଜେଲର୍ କଏଦୀଙ୍କୁ ମାମଲା ରଫାଦଫା କରିବାକୁ ଏକ ପ୍ରକାର ଚାପ ପକାଇଥିଲେ। ତଥାପି ଏହି ଘଟଣାକୁ ନେଇ ବିବାଦ ଥମୁନାହିଁ।

ଚୌଦ୍ୱାର ଜେଲ୍ ପୂର୍ବରୁ ମଧ୍ୟ ୨ ବିହାରୀ କଏଦୀ ଖସିଯିବା ଘଟଣାରେ ଚର୍ଚ୍ଚାରେ ଥିଲା, ଏପରିକି ସୁପରିଟେଣ୍ଡେଣ୍ଟ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *