ଓଡ଼ିଆ ସିନେମା ପାଇଁ ନୂଆ ଯୁଗ ଆରମ୍ଭ, ପ୍ରମୁଖ ଦକ୍ଷିଣ ଭାରତ ଓଟିଟି ‘ଆହା’ ସିଧାସଳଖ କିଣିଲା ହରର୍ ଫିଲ୍ମ ‘ଦହନ’

ଭୁବନେଶ୍ୱର, ୧୦/୧୦: ଓଡ଼ିଆ ସିନେମା ଇତିହାସରେ ଯୋଡ଼ି ହୋଇଛି ଏକ ନୂତନ ତଥା ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମ ଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଦହନ – ଦ ଇଭିଲ୍ ୱିଥିନ୍’ କୁ ଲୋକପ୍ରିୟ ସାଉଥ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଆହା’ସିଧାସଳଖ କିଣିନେଇଛି। ଏହା କୌଣସି ସାଧାରଣ ପେ-ପର୍-ଭ୍ୟୁ ବା ରାଜସ୍ୱ-ଭାଗିଦାରୀ ଚୁକ୍ତି ନୁହେଁ, ବରଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଯୁଗାନ୍ତକାରୀ ବ୍ୟବସାୟିକ ସଫଳତା।

ସେପ୍ଟେମ୍ବର ୧୧, ୨୦୨୬ରେ ମୁକ୍ତିଲାଭ କରିଥିବା ଏହି ସୁପରନ୍ୟାଚୁରାଲ୍ ହରର୍ ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। କଟକର ଐତିହାସିକ କିଲ୍ଲା ଡାଳିଯୋଡ଼ା ଏବଂ ଏକ ରହସ୍ୟମୟ ‘ଡିବୁକ୍’ ବକ୍ସକୁ ନେଇ ଗତିଶୀଳ ଏହାର କାହାଣୀ ଦର୍ଶକଙ୍କ ଦେହରେ ଶିହରଣ ସୃଷ୍ଟି କରିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ତଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବର୍ଷା ପଟ୍ଟନାୟକ, ଔରୋଶିଖା ମିଶ୍ର, ପାର୍ଥ ସାରଥୀ ରାୟ ଓ ସମ୍ରାଟ ମହାପାତ୍ରଙ୍କ ଭଳି ଦକ୍ଷ କଳାକାରଙ୍କ ଜୀବନ୍ତ ଅଭିନୟ ରହିଛି। ପୂର୍ବରୁ ଆମାଜନ ପ୍ରାଇମରୁ ‘ତୁଳସୀ ଅପା’ କାଢ଼ି ନିଆଯିବା ଘଟଣା ନିର୍ଦ୍ଦେଶକଙ୍କୁ ନିରାଶ କରିଥିଲା। ମାତ୍ର ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଆ ଫିଲ୍ମକୁ ଏକ ବୃହତ୍ତର ପ୍ଲାଟଫର୍ମରେ ପହଞ୍ଚାଇବା ତାଙ୍କ ପାଇଁ ଏକ ଭାବପ୍ରବଣ ତଥା ବଡ଼ ବିଜୟ।

ଖୁବଶୀଘ୍ର ‘ଆହା’ରେ ଷ୍ଟ୍ରିମିଂ ହେବାକୁ ଥିବା ‘ଦହନ’, ସମଗ୍ର ଜାତୀୟ ଡିଜିଟାଲ୍ ଦରବାରରେ ଓଡ଼ିଆ ସିନେମାର ଦବଦବା ବଢ଼ାଇବା ସହ ଆଗାମୀ ନିର୍ମାତାଙ୍କ ପାଇଁ ଏକ ବିଶାଳ ସୁଯୋଗର ଦ୍ୱାର ଖୋଲିଦେଇଛି। ଏହା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ!

Leave a Reply

Your email address will not be published. Required fields are marked *