ପବିତ୍ର ନବରାତ୍ରିର ପ୍ରଥମ ଦିନରେ କିଏ ଏ ମା’ ଶୈଳପୁତ୍ରୀ? ଜାଣନ୍ତୁ ପୂଜା ବିଧି, ଭୋଗ ଓ ମନ୍ତ୍ର

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୦/୧୦: ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ ।

ଆଦିଶକ୍ତି ଦେବୀ ଦୁର୍ଗାଙ୍କ ନବରାତ୍ର ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୌରାଣିକ କଥା ଅନୁଯାୟୀ ମାଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଉଲ୍ଲେଖ ରହିଛି ନବରାତ୍ରୀରେ ମା ନଅ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠକୁ ଆସି ଭକ୍ତମାନଙ୍କ ସହ ରହିଥାନ୍ତି। ଏହିକାରଣରୁ ମାଙ୍କୁ ଖୁସି କରାଇବା ପାଇଁ ଭକ୍ତ ବିଧି ପୂର୍ବକ ପୂଜା, ଆଳତୀ କରିଥାନ୍ତି।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମା ଦୁର୍ଗା କେଉଁ ଦିନ କେଉଁ ରୂପରେ ପୂଜା ପାଆନ୍ତି, ତାଙ୍କୁ ପୂଜା କରିବାର ବିଧି, କେଉଁ ନାମରେ ମା ଙ୍କ ପୂଜା କରାଯାଏ ….

୧ – ପ୍ରତିପଦା (ଅକ୍ଟୋ ୧୨): ମା ଶୈଳପୁତ୍ରୀ – ହିମାଳୟ କନ୍ୟା, ସ୍ଥିରତା ଓ ଶକ୍ତିଦିନ
୨ – ଦ୍ୱିତୀୟା (ଅକ୍ଟୋ ୧୩): ମା ବ୍ରହ୍ମଚାରିଣୀ – ତପସ୍ୟା, ଧୈର୍ଯ୍ୟର ଦେବୀଦିନ
୩ – ତୃତୀୟା (ଅକ୍ଟୋ ୧୪): ମା ଚନ୍ଦ୍ରଘଣ୍ଟା – ଶାନ୍ତି ଓ ସାହସ, ମୁଣ୍ଡରେ ଅର୍ଦ୍ଧଚନ୍ଦ୍ର
୪ – ଚତୁର୍ଥୀ (ଅକ୍ଟୋ ୧୫): ମା କୁଷ୍ମାଣ୍ଡା – ସୃଷ୍ଟିର ଆଦି ଶକ୍ତି
୫ – ପଞ୍ଚମୀ (ଅକ୍ଟୋ ୧୬): ମା ସ୍କନ୍ଦମାତା – କାର୍ତ୍ତିକେୟଙ୍କ ମାତା, ବାତ୍ସଲ୍ୟର ରୂପ – ଏହି ଦିନ ଷଷ୍ଠୀ ପୂଜା
୬ – ଷଷ୍ଠୀ (ଅକ୍ଟୋ ୧୭): ମା କାତ୍ୟାୟନୀ – ଯୁଦ୍ଧ ଦେବୀ, ଅସୁର ବିନାଶିନୀ – ସପ୍ତମୀ
୭ – ସପ୍ତମୀ (ଅକ୍ଟୋ ୧୯): ମା କାଳରାତ୍ରୀ – ଅନ୍ଧକାର ନାଶିନୀ, ଭୟଙ୍କର ରୂପ – ଅଷ୍ଟମୀ, କୁମାରୀ ପୂଜା
୮ – ଅଷ୍ଟମୀ (ଅକ୍ଟୋ ୨୦ ସକାଳ): ମା ମହାଗୌରୀ – ପବିତ୍ରତା, ଶାନ୍ତି – ନବମୀ ହୋମ
୯ – ନବମୀ (ଅକ୍ଟୋ ୨୦ ଅପରାହ୍ନ): ମା ସିଦ୍ଧିଦାତ୍ରୀ – ସବୁ ସିଦ୍ଧି ଦେଉଥିବା, ଶେଷ ରୂପ
୧୦ମ ଦିନ ଦଶମୀ (ଅକ୍ଟୋ ୨୧): ବିଜୟା ଦୁର୍ଗା – ଅସୁର ଉପରେ ବିଜୟ ଉତ୍ସବ।

ମା’ ଶୈଳପୁତ୍ରୀ

ନବଦୁର୍ଗାଙ୍କ ମଧ୍ୟରୁ ପ୍ରଥମ ସ୍ୱରୂପ ହେଉଛନ୍ତି ମାଆ ଦୁର୍ଗାଙ୍କର ଅବତାର ମା’ ଶୈଳପୁତ୍ରୀ, ଯାହାଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଏ। ସେ ପର୍ବତ ରାଜା ହିମାଳୟଙ୍କ କନ୍ୟା ଭାବରେ ଜନ୍ମ ହୋଇଥିବାରୁ ତାଙ୍କ ନାମ ‘ଶୈଳପୁତ୍ରୀ’ ବୋଲି ରଖାଯାଇଥିଲା। ଏହି ପ୍ରଥମ ଦିନର ପୂଜାରେ ଯୋଗୀମାନେ ସେମାନଙ୍କର ମନକୁ ‘ମୂଳାଧାର’ ଚକ୍ରରେ ରଖନ୍ତି। ଏହିଠାରୁ ତାଙ୍କର ଯୋଗ ଅଭ୍ୟାସ ଆରମ୍ଭ ହୁଏ।

* ଅର୍ଥ: ‘ଶୈଳ’ ଅର୍ଥ ପାହାଡ଼ ଏବଂ ‘ପୁତ୍ରୀ’ ଅର୍ଥ କନ୍ୟା। ହିମାଳୟ ପର୍ବତଙ୍କ କନ୍ୟା ରୁପେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ।
* ସ୍ୱରୂପ: ମାଆଙ୍କର ଏହି ରୂପ ଅତ୍ୟନ୍ତ ସୋମ୍ୟ, କରୁଣାମୟୀ ଏବଂ ଶକ୍ତିଦାୟିନୀ ଅଟେ। ତାଙ୍କର ଦୁଇଟି ହାତ ଅଛି; ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ପଦ୍ମଫୁଲ ଶୋଭାପାଉଛି।
* ବାହନ: ମା’ ଶୈଳପୁତ୍ରୀ ବୃଷଭ (ଷଣ୍ଢ) ଉପରେ ବିରାଜମାନ କରନ୍ତି।

ପୂଜାର ମହତ୍ତ୍ୱ:

* ପ୍ରଥମ ଦିନ: ଶାରଦୀୟ କିମ୍ବା ବାସନ୍ତୀକ ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନ ସହିତ ମା’ ଶୈଳପୁତ୍ରୀଙ୍କ ଆରାଧନା କରାଯାଏ।
* ଗ୍ରହ ଦୋଷ ନିବାରଣ: ବିଶ୍ୱାସ ରହିଛି ଯେ ମା’ ଶୈଳପୁତ୍ରୀଙ୍କ ପୂଜା କଲେ ଜାତକରୁ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ଓ ସମସ୍ୟା ଦୂର ହୋଇଥାଏ।
* ଫଳପ୍ରାପ୍ତି: ମାଆଙ୍କୁ ଭକ୍ତିର ସହ ପୂଜା କଲେ ଭକ୍ତଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୁଏ ଏବଂ ଜୀବନରେ ସ୍ଥିରତା ଓ ସାହସ ପ୍ରାପ୍ତ ହୁଏ।

ଶ୍ଳୋକ

ବନ୍ଦେବାଂଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତ ଶେଖରାମ୍।

ବୃଷାରୂଢ଼ାମ୍ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ବିନୀମ୍।।

ପୌରାଣିକ କିମ୍ବଦନ୍ତୀ ଅନୁସାରେ:

ପୂର୍ବ ଜନ୍ମରେ ମା’ ସତୀ ନାମରେ ପରିଚିତ ଥିଲେ ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ । ଏହି ସ୍ୱରୂପରେ ମା’ ବୃଷଭ ପିଠିରେ ବିରାଜମାନ କରିଥାନ୍ତି । ତେଣୁ ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଡାହାଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ କମଳ ପୁଷ୍ପ ସହିତ ମସ୍ତକରେ ଅର୍ଦ୍ଧଚନ୍ଦ୍ରଶୋଭା ପାଇଥାଏ ।

ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।ଏହି ବିଶେଷ ଦିନରେ ମାଆଙ୍କୁ ପୂଜା କଲେ ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧି ପ୍ରାପ୍ତ ହେବା ସହ ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ ।

ଏହି ସ୍ୱରୂପରେ ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ । ମା’ଙ୍କ ଆର୍ଶିବାଦରୁ ମନ ଶାନ୍ତ ରହେ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ ।

Leave a Reply

Your email address will not be published. Required fields are marked *