ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ଆଜି ୯୪ତମ ବାୟୁସେନା ଦିବସ। ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା। ଚଳିତ ବର୍ଷର ଉତ୍ସବ ପାଇଁ ବିଷୟବସ୍ତୁ (ଥିମ୍) ହେଉଛି “ଭାରତୀୟ ବାୟୁସେନା – ଅଭ୍ରାନ୍ତ, ଅଭେଦ୍ୟ ଏବଂ ସଠିକ୍”। ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହ ଯୁଦ୍ଧ ଓ ଜରୁରୀ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବାୟୁସେନା । ସ୍ୱାଧୀନତା ପୂର୍ବରୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ଭାବେ ପରିଚିତ ଥିବା ଏହି ବାହିନୀ ୧୯୫୦ ମସିହାରେ ଭାରତ ଗଣତନ୍ତ୍ର ହେବା ପରେ ଭାରତୀୟ ବାୟୁସେନା ନାମରେ ପରିଚିତ ହୋଇଥିଲା ।
ଗତ ୯୪ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ନିଜର ଶକ୍ତି, ଦକ୍ଷତା ଓ ଆଧୁନିକ ଯୁଦ୍ଧ କୌଶଳ ଦ୍ୱାରା ବିଶ୍ୱର ଅନ୍ୟତମ ପ୍ରମୁଖ ବାୟୁସେନା ଭାବେ ସ୍ଥାନ ହାସଲ କରିଛି । ୧୯୪୭-୪୮ର କଶ୍ମୀର ଯୁଦ୍ଧଠାରୁ ଆରମ୍ଭ କରି ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୯୯ର କାରଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।
ବାୟୁସେନା ଦିବସ ପୂର୍ବ ସନ୍ଧ୍ୟାରେ ଆକାଶବାଣୀ ମାଧ୍ୟମରେ ନିଜର ବାର୍ତ୍ତା ପ୍ରଦାନ କରି ବାୟୁସେନା ମୁଖ୍ୟ (ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍), ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ କହିଛନ୍ତି ଯେ ଭାରତୀୟ ବାୟୁସେନା ସର୍ବଦା ସତର୍କତା ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ ଦେଶର ସୁରକ୍ଷା ପାଇଁ ପ୍ରସ୍ତୁତ ରହିଛି। ସେ କହିଛନ୍ତି ଯେ ଗତ ବର୍ଷ ‘ଅପରେସନ୍ ସିନ୍ଦୂର’ (Operation Sindoor) ସମନ୍ୱିତ ବାୟୁ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଶକ୍ତିକୁ ପୁନର୍ବାର ପ୍ରମାଣିତ କରିଥିଲା ଏବଂ ଦେଶର ସାର୍ବଭୌମତ୍ୱ ରକ୍ଷା କରିବାର କ୍ଷମତା ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା।
ସେ କହିଛନ୍ତି ଯେ ଚଳିତ ବର୍ଷ ‘ଅଭ୍ୟାସ ବାୟୁଶକ୍ତି’ (Exercise Vayushakti), ବିଭିନ୍ନ ଦ୍ୱିପାକ୍ଷିକ ଅଭ୍ୟାସ, ‘ଡ୍ରୋନାଥନ୍’ (Dronathon) ଏବଂ ବର୍ତ୍ତମାନ ଚାଲିଥିବା ଐତିହାସିକ ବହୁପାକ୍ଷିକ ବାୟୁ ଅଭ୍ୟାସ ‘ତରଙ୍ଗ ଶକ୍ତି’ (Tarang Shakti) ଭଳି ପ୍ରମୁଖ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ବାୟୁସେନା ସକ୍ରିୟ ଭାବରେ ନିଜର ଯୁଦ୍ଧ ପ୍ରସ୍ତୁତିର ପରୀକ୍ଷା କରୁଛି ଏବଂ ନିଜର କାର୍ଯ୍ୟକାରୀ ଯୋଜନାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଦ୍ରୁତ ଗତିରେ ସାମିଲ କରୁଛି।
ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ ଯୁଦ୍ଧ ପ୍ରସ୍ତୁତି ବ୍ୟତୀତ, ସଙ୍କଟ ସମୟରେ ଦେଶ ଓ ମାନବଜାତିର ସେବା କରିବା ପାଇଁ ଭାରତୀୟ ବାୟୁସେନା ସର୍ବଦା ଆଗେଇ ଆସିଛି।
ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ରାଫେଲ୍, ସୁଖୋଇ-୩୦ ଏମକେଆଇ, ମିରାଜ୍-୨୦୦୦ ଓ ସ୍ୱଦେଶୀ ତେଜସ୍ ଭଳି ଲଢୁଆ ବିମାନ ରହିଛି । ଏହା ସହିତ ଆଧୁନିକ ହେଲିକପ୍ଟର, ପରିବହନ ବିମାନ, ରାଡାର ଓ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସ୍ୱଦେଶୀ ଯୁଦ୍ଧ ବିମାନ ଓ ପ୍ରତିରକ୍ଷା ଉପକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ବାୟୁସେନାର ସାହସ, ବଳିଦାନ ଓ ଦେଶସେବାକୁ ସମ୍ମାନ ଜଣାଇବା ପାଇଁ ବାୟୁସେନା ଦିବସ ପାଳନ କରାଯାଏ । ଏହି ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ବାୟୁଯୋଦ୍ଧାମାନଙ୍କୁ ସ୍ମରଣ କରାଯାଉଛି । ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ ହେଉଛି ‘ନଭଃ ସ୍ପୃଶଂ ଦୀପ୍ତମ୍’ । ଯାହାର ଅର୍ଥ ହେଉଛି ଗୌରବର ସହ ଆକାଶକୁ ସ୍ପର୍ଶ କରିବା ।













Leave a Reply