ଭୁବନେଶ୍ୱର, ୭/୧୦: ସାଧାରଣ ଲୋକଙ୍କ ପକେଟ୍ ଉପରେ ପୁଣି ମାଡ଼ । ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ବୃଦ୍ଧି ପାଉଥିବା ବେଳେ, ଏବେ ପୁଣି ଚାଉଳ ଓ ଡାଲି ଦର ମହଙ୍ଗା ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମହଙ୍ଗା ମାଡ ସିଧା ଜଣେ ସାଧାରଣ ଲୋକର ପକେଟ୍ ଉପରେ ପଡ଼ିଛି।
ସରୁ ବା ଫାଇନ ଚାଉଳ ଦର କ୍ବିଣ୍ଟାଲ ପିଛା ୮୦୦ରୁ ୧୦୦ ଟଙ୍କା ସୁପର ଫାଇନ ଚାଉଳ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମସୁରି, ପାଟେଣି ଓ ମିକ୍ସ ଭେରାଇଟି ଭଳି ଉଷୁନା ଚାଉଳ ଦରରେ ୩ରୁ ୫ ଟଙ୍କା ବଢ଼ିଥିବାବେଳେ ବିଭିନ୍ନ କିସମର ଅରୁଆ ଚାଉଳ ଦର ୧୦ରୁ ୨୦ ଟଙ୍କା ବଢ଼ିଯାଇଛି। ଖୁଚୁରା ବଜାରରେ ଜିରା ରାଇସ୍ କିଲୋପିଛା ୬୦ରୁ ୬୫ ଟଙ୍କାରେ, ଲକ୍ସର ଓ ଜୋକର ବ୍ରାଣ୍ଡର ଚାଉଳ ୮୦ ଓ ୮୫ ଟଙ୍କାରେ ଏବଂ ଡେରାଡୁନ ଚାଉଳ
କିଲୋପିଛା ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି। ବାସମତି ଚାଉଳ କିଲୋପିଛା ୨୦ ଟଙ୍କା ବଢ଼ି ୧୭୦ ଟଙ୍କାରେ ବିକ୍ରି ହେଉଛି।ସେହିଭଳି ହରଡ଼ ଡାଲି ଏବେ ବଜାରରେ ୧୪୦ରୁ ୧୫୦ ଟଙ୍କାରେ, ବୁଟ ଡାଲି ୯୦ ଟଙ୍କାରେ, ଚଣା ଡାଲି ୮୦ ଟଙ୍କାରେ ବିକ୍ରି ହେଉଛି।
ଚାଉଳ ଓ ଗହମ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି ବୋଲି ସରକାର କହୁଥିଲେ ମଧ୍ୟ ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ, ଯେଉଁସବୁ ଚାଉଳଦର ବଢ଼ିଛି ତାହା ମୁଖ୍ୟତଃ ବାହାର ରାଜ୍ୟରୁ ଆସିଥାଏ। ବିଶେଷ କରି ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା ଓ ପଞ୍ଜାବ ଉପରେ ଏଥିପାଇଁ ଓଡ଼ିଶା ଅଧିକ ନିର୍ଭର କରିଥାଏ। ଏହାବ୍ୟତୀତ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ ଅନୁମତି ଦିଆଯିବା ଫଳରେ କର୍ପୋରେଟ ଓ ପୁଞ୍ଜିପତିମାନେ ଦରକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି।
ବଜାରରେ ଦରଦାମ ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ପ୍ରାୟ ୯୦ ପ୍ରତିଶତ ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ ଆମଦାନି କରିଥାଏ। ଦରଦାମ ବୃଦ୍ଧିର ଏହା ଏକ ପ୍ରମୁଖ କାରଣ। ଦରଦାମ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି।












Leave a Reply