ଭୁବନେଶ୍ୱର, ୫/୧୦: ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏସପିଙ୍କ ପ୍ରତିଶ୍ରୁତି ପରେ ବିଜେଡି ନେତା ଓ କର୍ମୀ ଧାରଣାରୁ ଉଠିଥିଲେ । ବିଜେଡି ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓ ସରକାର କାହିଁକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଜେନାପୁର ଥାନା ମଧୁପୁରଗଡ଼ରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ହେବାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଆଇନର ଶାସନ ଚାଲିଛି ନା ଗୁଣ୍ଡାଙ୍କର? ବୋଲି ପ୍ରଶ୍ନ କରି ଛନ୍ତି ନବୀନ ।
ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଜେଡି ପକ୍ଷରୁ ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଧର୍ମଶାଳା ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଥିଲେ ପ୍ରଣବ ବଳବନ୍ତରାୟ ।
ସୂଚନା ମୁତାବକ, ଦିନ ପ୍ରାୟ ୩ଟା ସମୟରେ ପଦଯାତ୍ରା ଚାଲିଥିବାବେଳେ ଗାଡ଼ି ଉପରକୁ ଟେକା ମାଡ଼ କରାଯାଇଥିଲା । ଏହି ହିଂସାକାଣ୍ଡରେ ତାଙ୍କ ଗାଡ଼ି ସମେତ ମୋଟ ୩ଟି ଗାଡ଼ି ଭାଙ୍ଗି ଯାଇ ବହୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।ପୋଲିସ ଅଧିକ୍ଷକଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରି ତୁରନ୍ତ ଏଫ୍.ଆଇ.ଆର୍ ପଞ୍ଜିକରଣ କରିବାକୁ ଓ ଅଭିଯୋଗରେ ଉଲ୍ଲେଖ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଅଜ୍ଞାତ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ପ୍ରଣବ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ଶାସକ ଗୋଷ୍ଠୀର ।













Leave a Reply