ଭୁବନେଶ୍ୱର, ୩/୧୦: ଆଜି ପବିତ୍ର ମୂଳାଷ୍ଟମୀ / ଜିତାଷ୍ଟମୀ / ଜୀମୂତାଷ୍ଟମୀ | ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ମା’ଙ୍କ ଶରତ କାଳୀନ ଦୁର୍ଗା ପୂଜା ବା ଷୋଳ ପୂଜାର ମୂଳ ଆରମ୍ଭ ହୁଏ ବୋଲି ଏହାକୁ ମୂଳାଷ୍ଟମୀ କୁହାଯାଏ । ଆଜି ମା’ମାନେ ସନ୍ତାନର ମଙ୍ଗଳ ପାଇଁ ଦୂତୀବାହନ ଓଷା / ଜୀମୂତବାହନ ପୂଜା କରନ୍ତି । ରାଜ୍ୟର ସବୁ ଶକ୍ତିପୀଠ ଯେପରିକି କଟକ ଚଣ୍ଡୀ, ସମ୍ବଲପୁର ସମଲେଶ୍ୱରୀ, ଜୟପୁର ଭଗବତୀ, ଖିଚିଂ କୀଚକେଶ୍ୱରୀ ରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ ହେବ ।
କଟକର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ଭିତରୁ କଟକ ଚଣ୍ଡୀ ମନ୍ଦିର ଏବଂ ଗଡ଼ଚଣ୍ଡୀ ମନ୍ଦିରରେ ସମସ୍ତ ଆୟୋଜନ ସରିଛି । ଚଳିତ ବର୍ଷ ପୀଠମାନଙ୍କରେ ଶାରଦୀୟ ଦଶହରା ପର୍ବ ଆଜିଠାରୁ ଆରମ୍ଭ ହେବ । ୨୧ ତାରିଖ ବୁଧବାର ଦିନ ପାଳିତ ହେବ ବିଜୟା ଦଶମୀ ପର୍ବ ।
ଏହି ଷୋଡ଼ଶ ଦିନାତ୍ମକ ପୂଜାରେ ପ୍ରତ୍ୟେହ ମାଆ କଟକ ଚଣ୍ଡୀ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସହସ୍ର କୁମ୍ଭାଭିଷେକ ହେବା ସହିତ ପୀଠରେ ଘଟ ସ୍ଥାପନ କରାଯିବ । ତା ପରଠାରୁ ଆରମ୍ଭ ହେବ ଶାରଦୀୟ ପର୍ବ । ସେହିପରି କଟକର ଝାଞ୍ଜିରିମଙ୍ଗଳା ମନ୍ଦିରରେ ମଧ୍ୟ ଆଜି ସ୍ବତନ୍ତ୍ର ନୀତିକାନ୍ତି ହେଉଛି । ଆଜି ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଛି ।
ରବିବାର ଠାରୁ ୧୬ ବେଶରେ ଦର୍ଶନ ଦେବେ କଟକ ଚଣ୍ଡୀ । କିନ୍ତୁ ଗତ ୪ବର୍ଷ ଧରି ଏଥର ମଧ୍ୟ ମା’ କଟକ ଚଣ୍ଡୀଙ୍କ ପ୍ରକଳ୍ପ କାମ ଏବେ ଯାଏ ସରିଲାନି । ଏବେ କଟକ ଜିଲ୍ଲା ପ୍ରଶାସନ ଅକ୍ଟୋବର ପ୍ରଥମ ସପ୍ତାହରେ କଟକ ଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବାକୁ ଲକ୍ଷ୍ୟ ରଖିଥିଲେ ବି ଫେଲ୍ ମାରିଛି ।













Leave a Reply