ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ପ୍ରାୟ ତିନି ମାସର ଅସ୍ଥାୟୀ ସ୍ଥଗିତାବସ୍ଥା ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା । ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ । ଏହି ଲୋକପ୍ରିୟ ରୁଟ୍ରେ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି, ଯାହା ଓଡ଼ିଶା ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ପର୍ଯ୍ୟଟନ, ବ୍ୟବସାୟ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ। ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିଲା |
ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ। ବ୍ୟାଙ୍କକରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ । ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।
ରାତ୍ରିକାଳୀନ ଯାତ୍ରାର ଏହି ସୁବିଧାଜନକ ସମୟସୂଚୀ ଯାତ୍ରୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ସମୟ ବଞ୍ଚାଇବାରେ ଏବଂ ଥାଇଲ୍ୟାଣ୍ଡରେ ସେମାନଙ୍କର ପ୍ରଥମ ଦିନର ସର୍ବୋତ୍ତମ ଉପଯୋଗ କରିବାରେ ସହାୟକ ହେବ। ଏହି ସିଧାସଳଖ ବିମାନ ସେବାର ପୁନଃ ଆରମ୍ଭ ଛୁଟି କଟାଇବାକୁ ଯାଉଥିବା ପର୍ଯ୍ୟଟକ, ଆଧ୍ୟାତ୍ମିକ ପର୍ଯ୍ୟଟକ ଏବଂ ବ୍ୟବସାୟିକ ଯାତ୍ରୀ – ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।
ବର୍ତମାନ ଏହାହିଁ ଭୁବନେଶ୍ୱରର ଏକମାତ୍ର ସକ୍ରିୟ ଅନ୍ତର୍ଜାତୀୟ ରୁଟ୍, ଦୁବାଇ, ସିଙ୍ଗାପୁର ଏବେ ବି ବନ୍ଦ।













Leave a Reply