ଓଏଲଏକ୍ସରେ ଅଟୋ ବିକ୍ରି ନାଁରେ ଦିବ୍ୟାଙ୍ଗଙ୍କୁ ୯୦ ହଜାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର, ୨୫/୯: ଓଏଲଏକ୍ସ ମାଧ୍ୟମରେ ପୁରୁଣା ଅଟୋ ବିକ୍ରି କରିବା ନାଁରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଠକି ୯୦,୦୦୦ ଟଙ୍କା ହଡ଼ପ କରିବା ଅଭିଯୋଗ । ଅଭିଯୋଗକାରୀ ରଞ୍ଜିତ କୁମାର ସାହୁଙ୍କ ଲିଖିତ ଏତଲା ଆଧାରରେ ଧଉଳି ଥାନାରେ ରେ ମାମଲା ରୁଜୁ ହୋଇଥିଲା ।

ତଦନ୍ତରୁ ଜଣାପଡିଛି ଯେ, ଅଭିଯୋଗକାରୀ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ପୁରୁଣା ଅଟୋ କିଣିବାକୁ ଚାହୁଁଥିଲେ। ଓଏଲଏକ୍ସରେ ଏକ ବିଜ୍ଞାପନ ଦେଖି ସେ ଅଭିଯୁକ୍ତ ଅନନ୍ତ ଓରଫ କାହ୍ନୁ ସାହୁ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତର ଶ୍ୱଶୁର ଏବଂ ଅଭିଯୁକ୍ତ ଅନନ୍ତ ଏକ ପୁରୁଣା ଅଟୋ ଦେଖାଇବା ସହ ଏହାକୁ ୯୦,୦୦୦ ଟଙ୍କାରେ ବିକ୍ରି କରିବାକୁ ଡିଲ୍ ଫାଇନାଲ୍ କରିଥିଲେ।

ଗତ ୨୯.୦୭.୨୦୨୬ରେ ଅଭିଯୋଗକାରୀ ବିଶ୍ୱାସ କରି ନିଜର କଷ୍ଟ ଉପାର୍ଜିତ ୯୦,୦୦୦ ଟଙ୍କା ଅଭିଯୁକ୍ତର ସ୍ତ୍ରୀଙ୍କ ଫୋନ୍ ପେ ନମ୍ବରକୁ ପଠାଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ କେବଳ ଗାଡିର ଆରସି ବୁକ୍ ଧରାଇ ଦେଇ କିଛି ଦିନ ମଧ୍ୟରେ ଆରଟିଓ ଅଫିସରେ ଗାଡି ନାମାନ୍ତର କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଆଜିକାଲି କହି ଠକୁଥିଲା। ପରେ ଅଭିଯୋଗକାରୀ ଜାଣିବାକୁ ପାଇଥିଲେ ଯେ ଉକ୍ତ ଅଟୋ ନାମରେ ଏକ ଫାଇନାନ୍ସ କମ୍ପାନୀରେ ବହୁତ ଟଙ୍କାର ଲୋନ୍ ବାକି ଅଛି ଏବଂ ସେହି କଥାକୁ ଲୁଚାଇ ଅଭିଯୁକ୍ତ ଜାଣିଶୁଣି ତାଙ୍କୁ ଠକିଛି।

ଧଉଳି ପୋଲିସ ତୁରନ୍ତ ତଦନ୍ତ କରି ଉକ୍ତ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଏବଂ ଆରଟିଓ ଡାଟାବେସ୍ ଯାଞ୍ଚ କରିଥିଲା। ଠକେଇ ପ୍ରମାଣିତ ହେବା ପରେ ପୋଲିସ ଠକ ଅଭିଯୁକ୍ତ ଅନନ୍ତକୁ କାବୁ କରିଥିଲା। ପ୍ରମାଣ ଆଧାରରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *