ମୌଳିକ ଅଧିକାର ପାଇଁ ଏକାଠି ହେଲେ ଭୁବନେଶ୍ଵରିଆ, ଆଗକୁ ଆନ୍ଦୋଳନ ପାଇଁ ଧମକ

ଭୁବନେଶ୍ୱର,୨୧/୯ : ଭୁବନେଶ୍ୱରରେ BMCପକ୍ଷରୁ ଜାରି ହୋଇଥିବା ସିଲିଂ ଓ ଶୋ-କଜ୍ ନୋଟିସ୍‌କୁ ନେଇ ‘ଆମେ ଭୁବନେଶ୍ୱରିଆ’ ସମେତ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଆଜି ପ୍ରେସ୍ ମିଟ୍ କରାଯାଇଛି। ଦୀର୍ଘଦିନ ଧରି ଆବାସିକ ଅଞ୍ଚଳରେ ରହୁଥିବା ଲୋକେ ନିଜ ଘରର କିଛି ଅଂଶରେ ଛୋଟ ବ୍ୟବସାୟ, କ୍ଲିନିକ୍, ଟ୍ୟୁସନ୍ ସେଣ୍ଟର ଓ ଅନ୍ୟାନ୍ୟ ଜୀବିକାମୂଳକ କାର୍ଯ୍ୟ କରିଆସୁଥିବାବେଳେ ଏବେ ସିଲିଂ ନୋଟିସ୍ ଯୋଗୁଁ ସେମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରାୟ ୬୩୦ଜଣଙ୍କୁ ଏଭଳି ନୋଟିସ୍ ଦିଆଯାଇଥିବା ନେଇ ମଧ୍ୟ ପ୍ରେସ୍ ମିଟ୍‌ରେ ସୂଚନା ଦିଆଯାଇଛି।

ପ୍ରେସମିଟରେ ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ, ବାସୁଦେବ ଭଟ୍ଟ, ପ୍ରଣବ ସ୍ୱାଇଁ, ଶୁଭେନ୍ଦୁ ଦାସ, ମନୋରଞ୍ଜନ ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ଦୀପକ କୁମାର ନାୟକ, ନିରୁପମା ସାହୁ, ଶାରଦା ପରିଡା, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଲୋକନାଥ ଦାଶ ଅଲତାଫ ଅଲ୍ଲୀ, ସୁବ୍ରତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅନେକ ଛୋଟ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ଟ୍ରେଡ୍ ଲାଇସେନ୍ସ ନେଇ ନିୟମିତ ଫିଜ୍‌ ଦେଇ ବ୍ୟବସାୟ କରିଆସୁଛନ୍ତି। ଏପରିସ୍ଥଳେ ହଠାତ୍ ଲାଇସେନ୍ସ ନବୀକରଣ ନହେବା, ଦୋକାନ ସିଲ୍‌ ହେବା କିମ୍ବା ବ୍ୟବସାୟ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲେ ଅନେକ ପରିବାରର ଜୀବିକା ପ୍ରଭାବିତ ହେବ। ତେଣୁ କେବଳ ଆବାସିକ ଅଞ୍ଚଳରେ ବ୍ୟବସାୟିକ କାର୍ଯ୍ୟ ହେଉଛି ବୋଲି ସବୁ ମାମଲାକୁ ସମାନ ଭାବେ ଦେଖିବା ପରିବର୍ତ୍ତେ, ସମ୍ପୃକ୍ତ ଅଞ୍ଚଳର ଜୋନିଂ ନିୟମ, ବ୍ୟବହାରର ପ୍ରକୃତି, ଦୀର୍ଘଦିନର ସ୍ଥିତି ଏବଂ ଆଇନଗତ ଦଲିଲ୍‌କୁ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି କରାଯାଇଛି। ସୁପ୍ରିମକୋର୍ଟରେ ଚାଲିଥିବା ଲୋଗନାଥନ ମାମଲାରେ ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳର ଅନୁମତିବିହୀନ ବ୍ୟବହାର ନେଇ ନଗର ନିଗମଗୁଡ଼ିକୁ ସର୍ଭେ ଓ ପ୍ରଭାବୀ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ ଏହି ନିର୍ଦ୍ଦେଶକୁ ଆଧାର କରି ପ୍ରତ୍ୟେକ ଦୀର୍ଘଦିନର ମିଶ୍ରିତ ବ୍ୟବହାର କିମ୍ବା ଛୋଟ ବ୍ୟବସାୟ ଉପରେ ହଠାତ୍ ସିଲିଂ ଓ ଭଙ୍ଗା ଭଳି ପଦକ୍ଷେପ ନନେଇ, ଆଇନ ଅନୁଯାୟୀ ମାମଲାଗୁଡ଼ିକୁ ପୃଥକ ଭାବେ ବିଚାର କରିବାକୁ ସଂଗଠନ ଦାବି କରିଛି। ଲୋଗନାଥନ ମାମଲାରେ ସୁପ୍ରିମକୋର୍ଟ ପ୍ରକୃତ ଭୂମିସ୍ତରୀୟ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଥିବା ବିଷୟ ମଧ୍ୟ ଆଗକୁ ଆସିଛି।

ଏହାସହ ଓଡ଼ିଶା ସରକାରଙ୍କ ୨୦୨୫ମସିହାର ହାଉସିଂ ଆଣ୍ଡ ଅର୍ବାନ୍ ଡେଭଲପମେଣ୍ଟ ବିଭାଗର ଗେଜେଟ୍ ନୋଟିଫିକେସନ୍ ଏବଂ ପରବର୍ତ୍ତୀ ଜୋନିଂ ନିୟମକୁ ଆଧାର କରି ଦୀର୍ଘଦିନର ନିର୍ମାଣ ଓ ଅନୁମତିଯୋଗ୍ୟ ମିଶ୍ରିତ ବ୍ୟବହାର ପାଇଁ ସ୍ପଷ୍ଟ ଓ ସମୟବଦ୍ଧ ରେଗୁଲାରାଇଜେସନ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସଂଗଠନର ଦାବି ଅନୁଯାୟୀ, କେଉଁ କାର୍ଯ୍ୟ ନିଷିଦ୍ଧ, କେଉଁ କାର୍ଯ୍ୟ ଅନୁମତିଯୋଗ୍ୟ କିମ୍ବା ନିୟମ ଅନୁଯାୟୀ କମ୍ପାଉଣ୍ଡ କରାଯାଇପାରିବ, ସେନେଇ ସରକାର ସ୍ପଷ୍ଟ ତାଲିକା ପ୍ରକାଶ କରିବା ଆବଶ୍ୟକ। ଏଥିପାଇଁ ଅତି କମ୍‌ରେ ୬ ମାସର ଏକ ରେଗୁଲାରାଇଜେସନ୍ ୱିଣ୍ଡୋ ଖୋଲି ଦୀର୍ଘଦିନ ଧରି ଚାଲିଆସୁଥିବା ନିର୍ମାଣ ଓ ଅନୁମତିଯୋଗ୍ୟ ମିଶ୍ରିତ ବ୍ୟବହାରକୁ ନିୟମ ମଧ୍ୟରେ ଆଣିବାକୁ ସେମାନେ ଦାବି କରିଛନ୍ତି।

ବିଶେଷ କରି ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ଦେଇଥିବା, ବିଦ୍ୟୁତ୍ ଓ ପାଣି ସଂଯୋଗ ପାଇଥିବା ଏବଂ ଟ୍ରେଡ୍ ଲାଇସେନ୍ସ ନେଇ ବ୍ୟବସାୟ କରୁଥିବା ଲୋକଙ୍କ ମାମଲାକୁ ମାନବିକ ଦୃଷ୍ଟିରେ ବିଚାର କରିବାକୁ ଦାବି ହୋଇଛି। ଏଥିସହ Temporary Aluminium Shed ପ୍ରକାରର ଷ୍ଟ୍ରକ୍ଚର୍‌କୁ ନେଇ ଜାରି ହୋଇଥିବା ଶୋ-କଜ୍ ନୋଟିସ୍‌ଗୁଡ଼ିକୁ ପୁନଃବିଚାର କରି ପ୍ରୟୋଜନୀୟ ପଦକ୍ଷେପ ନେବାକୁ ମଧ୍ୟ ଦାବି ରହିଛି। ସିଲିଂ ଓ ଡିମୋଲିସନ୍‌କୁ ଶେଷ ବିକଳ୍ପ ଭାବେ ରଖି, ପ୍ରଥମେ ନୋଟିସ୍, ଶୁଣାଣି ଓ ନିୟମ ଅନୁଯାୟୀ ସମାଧାନର ସୁଯୋଗ ଦେବାକୁ ସଂଗଠନ ଅନୁରୋଧ କରିଛି। ଏହି ପ୍ରସଙ୍ଗରେ ମେୟର, ବିଭିନ୍ନ ବିଧାୟକ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିବା ଏବଂ ଜୋରଜବରଦସ୍ତ କାର୍ଯ୍ୟାନୁଷ୍ଠାନ ନନେବା ନେଇ ଆଶ୍ୱାସନ ମିଳିଥିବା ପ୍ରେସ୍ ମିଟ୍‌ରେ କୁହାଯାଇଛି। ଆଗାମୀ ଦିନରେ ରାଜ୍ୟ ସରକାର, H&UD ବିଭାଗ, BMC ଓ BDAକୁ ନେଇ ଏକ ସମୟବଦ୍ଧ କମିଟି ଗଠନ କରି ରେଗୁଲାରାଇଜେସନ୍ ସ୍କିମ୍ ପ୍ରସ୍ତୁତ କରିବା, ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀଙ୍କୁ ଆଶ୍ୱସ୍ତ କରିବା ଏବଂ ଆବଶ୍ୟକ ହେଲେ ବିଧାନସଭା ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବାକୁ ସଂଗଠନ ପକ୍ଷରୁ କୁହାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଅସୁରକ୍ଷିତ କିମ୍ବା ନିଷିଦ୍ଧ ନିର୍ମାଣ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହିତ, ଦୀର୍ଘଦିନର ନିବାସୀ ଓ ଜୀବିକା ସହ ଜଡ଼ିତ ମାମଲା ପାଇଁ ସ୍ପଷ୍ଟ ରେଗୁଲାରାଇଜେସନ୍ ନୀତି ହିଁ ସମାଧାନ ବୋଲି ସଂଗଠନ ପକ୍ଷରୁ ପ୍ରେସ୍ ମିଟ୍‌ରେ ସୂଚନା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *