ପହଲଗାମ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ବ୍ରିକ୍ସର ସମସ୍ତ ସଦସ୍ୟ ରାଷ୍ଟ୍ର 

ନୂଆଦିଲ୍ଲୀ, ୧୨/୯: ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ବ୍ରିକ୍ସ ସମ୍ମିଳନୀ ରେ ଭାରତ ଆତଙ୍କବାଦୀ ଆକ୍ରମଣକୁ ନେଇ କରିଥିବା ଯୁକ୍ତି କୁ ସବୁ ଦେଶ ସମର୍ଥନ ଜଣାଇଛନ୍ତି। ବ୍ରିକ୍ସ ଘୋଷଣାପତ୍ରରେ ଜମ୍ମୁ-କାଶ୍ମୀରର ପହଲଗାମରେ ୨୦୨୫ ଏପ୍ରିଲ ୨୨ରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଏଥିସହିତ ସୀମାପାର ଆତଙ୍କବାଦ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ବ୍ୟବସ୍ଥା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ଜୋର ଦିଆଯାଇଛି।

ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି। ଏଥିସହ ଆତଙ୍କବାଦ ପ୍ରତି ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଆପଣାଇବା ସହ କୌଣସି ବି ପରିସ୍ଥିତିରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ବ୍ରିକ୍ସ ସ୍ପଷ୍ଟ କରିଛି।

ବ୍ରିକ୍ସ ଘୋଷଣାପତ୍ରର ସୁରକ୍ଷା ସମ୍ପର୍କିତ ଅଂଶରେ ପହଲଗାମ ଆକ୍ରମଣକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ନିରୀହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ବ୍ରିକ୍ସ ଦେଶଗୁଡ଼ିକ ଦୃଢ଼ ଭାବେ ନିନ୍ଦା ଜଣାଇଛନ୍ତି।ଘୋଷଣାପତ୍ରରେ ସ୍ପଷ୍ଟ କରାଯାଇଛି ଯେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ଯଥାର୍ଥତା ଦିଆଯାଇପାରିବ ନାହିଁ। ଆତଙ୍କବାଦୀ କାର୍ଯ୍ୟ ପଛରେ କେଉଁ ପ୍ରେରଣା ରହିଛି, କେଉଁଠାରେ କିମ୍ବା କେବେ ଏହା ଘଟିଛି, କିମ୍ବା କିଏ ଏହା କରିଛି-ସେସବୁ ଯାହା ହେଉନା କାହିଁକି, ଆତଙ୍କବାଦ ଅପରାଧ ହିଁ ବୋଲି ବ୍ରିକ୍ସ ନେତାମାନେ ମତ ଦେଇଛନ୍ତି।

ଆତଙ୍କବାଦ ବିରୋଧରେ ନିଜର ପ୍ରତିବଦ୍ଧତାକୁ ପୁନଃ ଦୋହରାଇ ବ୍ରିକ୍ସ ନେତାମାନେ ଆତଙ୍କବାଦୀଙ୍କ ସୀମାପାର ଗତିବିଧି ରୋକିବା ଉପରେ ଜୋର ଦେଇଛନ୍ତି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ନେଟୱାର୍କକୁ ଚିହ୍ନଟ କରି ବନ୍ଦ କରିବା ସହ ଆତଙ୍କବାଦୀଙ୍କୁ ମିଳୁଥିବା ସୁରକ୍ଷିତ ଆଶ୍ରୟସ୍ଥଳୀ ନଷ୍ଟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ଏହା ସହିତ ବିଶ୍ୱ ଆତଙ୍କବାଦ, ଅବୈଧ ଆର୍ଥିକ କାରବାର, ସାଇବର ଠକେଇ ଏବଂ ସୀମାପାର ଅପରାଧିକ ନେଟୱାର୍କ ବିରୋଧରେ ମିଳିତ ଭାବେ କାମ କରିବାର ଆବଶ୍ୟକତାକୁ ମଧ୍ୟ ବ୍ରିକ୍ସ ଗୁରୁତ୍ୱ ଦେଇଛି।

ଚାଇନା-ରୁଷିଆ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ରାଷ୍ଟ୍ର ପହଲଗାମ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଧର୍ମ ଆଧାରରେ ହିଂସା କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି। ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ହିନ୍ଦୁମାନଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନକୁ ଦୃଷ୍ଟିରେ ରଖି ଏହି ଘୋଷଣାନାମା ପାକିସ୍ତାନକୁ ପରୋକ୍ଷରେ ଦାୟୀ କରିଛି।

Leave a Reply

Your email address will not be published. Required fields are marked *