ବର୍ଷା ଭୟ: କଳାହାଣ୍ଡିରେ ସମସ୍ତ ସ୍କୁଲ ବନ୍ଦ

କଳାହାଣ୍ଡି: ଲଘୁଚାପ ପ୍ରଭାବରୁ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା | ଅନେକ ଜିଲ୍ଲା ରେ ରେକର୍ଡ ଛୁଉଁଚି ବର୍ଷା | କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍‌ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍‌ରେ ସର୍ବାଧିକ ୫୯ ମିମି ବର୍ଷା ରେକର୍ଡ ହୋଇଛି । ଜୟପୁରରେ ୫୪.୬, ଲମତାପୁଟରେ ୪୮, କୋଟପାଡ଼ ଓ ବୈପାରିଗୁଡ଼ାରେ ୪୬, ବୋରିଗୁମ୍ମାରେ ୪୩.୬ ଏବଂ ସେମିଳିଗୁଡ଼ାରେ ୪୩.୨ ମିମି ବର୍ଷା ହୋଇଛି । ସେହିପରି କୋରାପୁଟରେ ୩୧.୮, ନନ୍ଦପୁରରେ ୨୯, ପଟ୍ଟାଙ୍ଗିରେ ୨୧, ଲକ୍ଷ୍ମୀପୁରରେ ୨୦, ବନ୍ଧୁଗାଁରେ ୧୫.୨, ନାରାୟଣପାଟଣାରେ ୧୪.୬ ଏବଂ ଦଶମନ୍ତପୁରରେ ୫ ମିମି ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶୁକ୍ରବାର କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି |

ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଏଥିରେ ସାମିଲ ରହିଛି ।

ତେବେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ନିଜ ନିୟମିତ କାର୍ଯ୍ୟରେ ଯୋଗଦେବେ। ସେମାନେ ଅଧୁରା ଥିବା ଅନୁଷ୍ଠାନିକ କାମଗୁଡ଼ିକ ଶେଷ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ନିକଟସ୍ଥ ବାଂଲାଦେଶ ଅଞ୍ଚଳ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଆଜି କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି କାରଣରୁ ସତର୍କତାମୂଳକ ପଦକ୍ଷେପ ଭାବେ କଳାହାଣ୍ଡି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରସ୍ତୁତ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *