କଟକ ୯।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ନୂଆ ମୋଡ ନେଇଛି । ପତ୍ନୀ ବିଦ୍ୟାଭାରତୀ ଙ୍କ ପାଇଁ ଅଡୁଆ ବଢିଛି । ବ୍ୟକ୍ତିଗତ ହାଜିରାରୁ ବର୍ତ୍ତିବା ଲାଗି କରିଥିବା ଆବେଦନ କୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏଥିସହ ଅକ୍ଟୋବର ୧ ତାରିଖ ସୁଦ୍ଧା ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପତ୍ନୀ ବିଦ୍ୟାଭରତି ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ବ୍ୟକ୍ତିଗତ ହାଜିରାରୁ ବର୍ତ୍ତିବା ଲାଗି ଆବେଦନ କରିଥିଲେ । ପାରଳାଖେମୁଣ୍ଡି ଥାନାରେ IPCର ଧାରା ୩୦୨ (ହତ୍ୟା) ଏବଂ ୧୨୦-B (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPC ୩୦୪-A ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି । ଏହାପରେ ଅଭିଯୋଗକାରୀ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ପ୍ରୋଟେଷ୍ଟ ପିଟିସନ୍ରେ ମାଜିଷ୍ଟ୍ରେଟ୍ Section 202 Cr.P.C. ଅନୁଯାୟୀ ତଦନ୍ତ କରିବା ପରେ IPC ୩୦୨/୧୨୦-B ଅନୁଯାୟୀ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ଯାହାକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ । ପୁନର୍ବାର ବିଦ୍ୟାଭାରତୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୂଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି । ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥଳୀ ଠାରୁ ୫୨୪ କି.ମି.ରୁ ଅଧିକ ଦୂର ହୋଇଥିବାରୁ ବାରମ୍ବାର କୋର୍ଟରେ ହାଜର ହେବା କଷ୍ଟକର ବୋଲି ଯୁକ୍ତି ଦିଆଯାଇଥିଲା ।
ତେବେ ବିଦ୍ୟାଭାରତୀ ଜାଣିଶୁଣି କୋର୍ଟ ପ୍ରକ୍ରିୟାକୁ ଏଡ଼ାଇ ଚାଲିଥିବା ଯୁକ୍ତି ଦର୍ଶାଇଥିଲେ ପ୍ରତିପକ୍ଷ । ବିଦ୍ୟାଭାରତୀଙ୍କ ଅନୁପସ୍ଥିତି ଯୋଗୁଁ ଟ୍ରାଏଲ୍ ଆରମ୍ଭ ହୋଇପାରିନାହିଁ ବୋଲି ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହାକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ମାମଲାର ପ୍ରକୃତି ଏବଂ ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜର ହେବା ଏବେ ଏଡ଼ାଇ ହେବ ନାହିଁ ।













Leave a Reply