ଭୁବନେଶ୍ୱରରେ ଜନ୍ମାଷ୍ଟମୀ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୪/୯ : ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ଆଜି ଭୁବନେଶ୍ୱର ୟୁନିଟ୍-୮ ହନୁମାନ ମନ୍ଦିର ପରିସରରେ ଶ୍ରୀ ସୀତାରାମ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୪୧ଜଣ କୁନି କୁନି ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଉତ୍ସାହର ସହ ଭାଗ ନେଇଥିଲେ। ସେଥିମଧ୍ୟରୁ ନୃତ୍ୟ ପ୍ରତିଯୋଗିତାରେ ୨୩ ଜଣ, ସଂଗୀତ ପ୍ରତିଯୋଗିତାରେ ୬ ଜଣ ଏବଂ କୌତୁକ ପୋଷାକ (ଫ୍ୟାନ୍ସି ଡ୍ରେସ) ପ୍ରତିଯୋଗିତାରେ ୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗିତା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବସିତ ଥିଲା, ଯାହା ଦର୍ଶକଙ୍କ ମନମୋହି ନେଇଥିଲା। ପ୍ରତିଯୋଗିତାରେ ନୃତ୍ୟ ବିଭାଗରେ ଜେସ୍ଲିନ୍ ଶୁଭଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ସଂଗୀତ ପରିବେଷଣରେ ସୁମିତା ବାହିନୀପତି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି କୌତୁକ ପୋଷାକ ପ୍ରତିଯୋଗିତାରେ ବୀର କୁମାର ନାୟକ ଏବଂ ଦେବପ୍ରିୟ ପଟ୍ଟନାୟକ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଏହି ଅବସରରେ ସୀତାରାମ ସାଂସ୍କୃତିକ ପରିଷଦର ସଭାପତି ଭକ୍ତ ଚରଣ ରାଉତ ଏବଂ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସେନାପତି ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପରିଷଦର କର୍ମକର୍ତ୍ତାମାନେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ପିଲାମାନଙ୍କ ମଧ୍ୟରେ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବ ବୋଲି ଶ୍ରୀ ସେନାପତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *