ଅନଲାଇନ ଅଟୋ ଚାଳକଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ

ଭୁବନେଶ୍ବର,୨୪/୮ : ଅନଲାଇନ ଅଟୋ ଚାଳକଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ। ଗତ ବୁଧବାର ଅନଲାଇନ ଅଟୋ ଚାଳକମାନେ ଆନ୍ଦୋଳନ ସମୟରେ ଉଗ୍ର ହୋଇ ଯେଉଁ ଭଙ୍ଗାରୁଜା କରିଥିଲେ ତାହା ଏବେ ସେମାନଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଘଟଣା ଦିନ ପୋଲିସ ୪୦୦ ଗାଡ଼ି ଜବତ କରିଥିଲା। ସେଗୁଡ଼ିକର ପରମିଟ୍ ବାତିଲ ପାଇଁ ନୋଟିସ୍ ଦିଆଯାଇଥିଲା। ଏଥିସହ ଶହେରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ଏବେ ଏହି  ମାମଲାରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ଆଞ୍ଚଳିକ ପରିବହନ ବିଭାଗ। ଏବେ ସମ୍ପୃକ୍ତ ଗାଡିର ରେଜିଷ୍ଟେ୍ରସନ ସାର୍ଟିଫିକେଟ (ଆରସି) ବାତିଲ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୁବନେଶ୍ବର ଆରଟିଓ ମାନସ ମିଶ୍ର କହିଛନ୍ତି, ଆନ୍ଦୋଳନ ପରେ ଘଟଣାସ୍ଥଳରୁ ୪୮୦ ଗାଡ଼ି ସିଜ୍ କରିଥିଲା ପୋଲିସ I ସମସ୍ତ ସିଜ୍ ଗାଡ଼ିକୁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ସୋ’ କଜ୍ ନୋଟିସର ଡେଡ୍ ଲାଇନ୍ ଆଜି ସରୁଥିବା ବେଳେ  ମାତ୍ର ୨୫ ଜଣ ଉତ୍ତର ରଖିଛନ୍ତି। ହେଲେ ଅନ୍ୟମାନେ ଉତ୍ତର ଦେଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ବହୁ ଗାଡ଼ିର ଫାଇନ ସହ ଫିଟନେସ ସାର୍ଟିଫିକେଟ କିମ୍ବା ଇନ୍ସ୍ୟୁରାନ୍ସ ମଧ୍ୟ ନାହିଁ। ଯାହାର ଏକ ତାଲିକା ପ୍ରସ୍ତୁତ କରୁଛି ବିଭାଗ । ସେମାନଙ୍କୁ ଆରସି ବାତିଲ ପାଇଁ ନୋଟିସ ଦିଆଯିବ।

Leave a Reply

Your email address will not be published. Required fields are marked *