ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସକ୍ରିୟ

ଭୁବନେଶ୍ୱର, ୨୩/୮ : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଭୋର ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ଉତ୍ତର-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଝଡ଼ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। କାଲି ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ପବନର ବେଗ ଅଧିକ ରହିବା ଯୋଗୁଁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ଉପକୂଳକୁ ଫେରିଆସିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *