ପ୍ରେମର ପୂର୍ବାନୁମାନ

ସେ ଦିନ ସକାଳୁ ସୁକିନ୍ଦା ସରକାରୀ ମେଡିକାଲ୍ ପରିସରର ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୂର୍ଯ୍ୟଦେବଙ୍କ ଦେଖା ନଥିଲା, ବରଂ ଆକାଶ ସାରା ଘୋଟି ରହିଥିଲା ଘନ କଳାହାଣ୍ଡିଆ ମେଘର ଚାଦର। ପବନରେ ଏକ ପ୍ରକାର ମିଠା ଶୀତଳତା ଓ ଓଦା ମାଟିର ବାସ୍ନା ଭରି ରହିଥିଲା, ଯାହା ମନକୁ ଆନ୍ଦୋଳିତ କରୁଥିଲା। ମେଡିକାଲ୍‌ର ନର୍ସିଂ ଡ୍ୟୁଟି ରୁମ୍‌ର ବଡ଼ କାଚ ଝରକା ପାଖରେ ବସି ଗରମ ଚା’ କପ୍‌ରେ ଚୁସ୍‌କି ଦେଉଥିଲା ସଞ୍ଜିତା। ସେ ସେହି ମେଡିକାଲ୍‌ରେ ଜଣେ କର୍ତ୍ତବ୍ୟନିଷ୍ଠ ଷ୍ଟାଫ୍ ନର୍ସ ଭାବେ କାମ କରେ। ସକାଳୁ ସକାଳୁ ନିଜର ଡ୍ୟୁଟି ଜଏନ୍ କରିବା ପରେ, ସେ ୱାର୍ଡର ସମସ୍ତ ରୋଗୀମାନଙ୍କର ରାଉଣ୍ଡ ସାରିଥିଲା। ପ୍ରେସକ୍ରିପସନ୍ ଯାଞ୍ଚ କରିବା, ଔଷଧ ବାଣ୍ଟିବା ଏବଂ ଗୁରୁତର ରୋଗୀମାନଙ୍କର ଯତ୍ନ ନେବା ପରେ ଏବେ ସେ ଟିକେ ଆଶ୍ୱାସନାର ନିଶ୍ୱାସ ମାରୁଥିଲା। ହାତରେ ଧରିଥିବା ଚା’ କପ୍‌ରୁ ବାହାରୁଥିବା ଗରମ ଧୂଆଁ ତା’ ଆଖି ଆଗରେ ଏକ କାଳ୍ପନିକ ଛବି ସୃଷ୍ଟି କରୁଥିଲା। ବାହାରେ ପାଗ ଯେତିକି ମେଘୁଆ ଥିଲା, ସଞ୍ଜିତା ମନ ଭିତରେ ଅପେକ୍ଷାର ଆକୁଳତା ସେତିକି ଗଭୀର ହେବାରେ ଲାଗିଥିଲା। ତା’ ପ୍ରେମିକ ଦେବ୍ ଅନ୍ୟ ଏକ ବଡ଼ ସହରରେ ଚାକିରି କରେ।

କାର୍ଯ୍ୟର ଅହରହ ବ୍ୟସ୍ତତା, ଦାୟିତ୍ୱର ଚାପ ଏବଂ ଦୂରତା ଯୋଗୁଁ ପ୍ରାୟ ଦୁଇ ମାସ ହେବ ଦୁହିଁଙ୍କର ସାକ୍ଷାତ ହୋଇପାରି ନଥିଲା। ଝରକା ବାହାରେ ଥିବା ଗଛପତ୍ର ଗୁଡ଼ିକ ଥଣ୍ଡା ପବନରେ ଝୁଲୁଥିବାର ଦେଖି ସଞ୍ଜିତା ମନେ ମନେ ଭାବୁଥିଲା, ଏମିତି ଏକ ରୋମାଣ୍ଟିକ ପାଗରେ ଯଦି ଦେବ୍ ମୋ ପାଖରେ ଥାନ୍ତେ, ଆମେ ଦୁହେଁ ହାତରେ ହାତ ରଖି ବର୍ଷାକୁ ଦେଖନ୍ତେ, କେତେ ଭଲ ହୋଇଥାନ୍ତା ! ଠିକ୍ ସେତିକିବେଳେ ତା’ ଆପ୍ରନ୍ ପକେଟ୍‌ରେ ଥିବା ଫୋନ୍‌ଟି ଟୁଇନ୍‌-ଟୁଇନ୍‌ ଶବ୍ଦ କରି କମ୍ପି ଉଠିଲା। ସଞ୍ଜିତା ଚା’ କପ୍‌ଟିକୁ ଟେବୁଲ୍ ଉପରେ ରଖି ତୁରନ୍ତ ଫୋନ୍ ବାହାର କଲା। ଲକ୍ ସ୍କ୍ରିନ୍ ଉପରେ ଦେବ୍‌ର ନାଁ ଦେଖି ତା’ ଆଖି ଦୁଇଟି ଚମକି ଉଠିଲା ଏବଂ ଓଠରେ ଏକ ଅଫେରନ୍ତା ମୃଦୁ ହସ ଖେଳିଗଲା। ଖୁସି ମନରେ ସେ ମେସେଜ୍‌ଟିକୁ ଖୋଲି ପଢ଼ିଲା। ଫୋନ୍‌କୁ ମେସେଜ୍ ଆସିଲା ଭାରତୀୟ ପ୍ରେମ ପାଣିପାଗ ବିଭାଗ ତରଫରୁ…ପ୍ରବଳ ପ୍ରେମ ବର୍ଷାର ସମ୍ଭାବନା ଅଛି, ତୁମ ପ୍ରେମିକ ଆସି ତୁମ ସହରରେ ପହଞ୍ଚିସାରିଛି।

ମେସେଜ୍‌ଟି ପଢ଼ି ସଞ୍ଜିତା ଜୋର୍‌ରେ ହସିଦେଲା। ସେ ଭାବିଲା ଦେବ୍ ବୋଧହୁଏ ଅଫିସରେ ବସି ବୋର୍ ହେଉଛି ଏବଂ ତାକୁ ମନେ ପକାଇବା ପାଇଁ ଏହି ସୁନ୍ଦର କବିତା ଶୈଳୀର ମେସେଜ୍ ପଠାଇଛି। ସେ ନିଜ ଓଠକୁ ଚାପି ହସି ହସି ରିପ୍ଲାଏ ଟାଇପ୍ କଲା, ବହୁତ ସୁନ୍ଦର ମେସେଜ୍ ସାହେବ! କିନ୍ତୁ ପ୍ରେମ ବର୍ଷା କରାଇବା ପାଇଁ ପ୍ରେମିକର ନିଜ ସହରରେ ରହିବା ଜରୁରୀ। ତୁମେ ତ ସେଠି ହଜାରେ କିଲୋମିଟର ଦୂରରେ ବସି ମେସେଜ୍ ପଠାଉଛ, ଏଠି ବର୍ଷା କେମିତି ହେବ ? ମେସେଜ୍ ସେଣ୍ଡ୍ କରିବାର କିଛି ସେକେଣ୍ଡ ବିତି ନଥିବ, ଦେବ୍‌ର ଆଉ ଏକ ପାଲଟା ମେସେଜ୍ ଆସିଲା ବେଶୀ କଥା ନ କହି ମେଡିକାଲ୍‌ର ମୁଖ୍ୟ ଗେଟ୍ ପାଖକୁ ଆସିଲୁ, କିଏ ଜଣେ ପାଗଳ ତୋତେ ଅପେକ୍ଷା କରିଛି ! ମେସେଜ୍‌ଟି ପଢ଼ିବା ମାତ୍ରେ ସଞ୍ଜିତାର ଛାତି ଭିତରଟା ସ୍ପନ୍ଦିତ ହୋଇଉଠିଲା। ହୃଦସ୍ପନ୍ଦନର ଗତି ହଠାତ୍ ତେଜ୍ ହୋଇଗଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲା। ସେ ଧଡ଼ପଡ଼ ହୋଇ ଉଠି ଠିଆ ହେଲା ଏବଂ କାଚ ଝରକା ଦେଇ ତଳକୁ ଅନାଇଲା। ମେଡିକାଲ୍‌ର ବାହାର ପାଖ ଗେଟ୍ ପାଖରେ ଜଣେ ଯୁବକ ବାଇକ୍ ଉପରେ ବସି ହାତ ହଲାଉଥିଲା। ହଁ, ସେ ଆଉ କେହି ନୁହେଁ, ସେ ସ୍ୱୟଂ ଦେବ୍ ଥିଲେ ! ତାଙ୍କର ଗୋଟିଏ ହାତରେ ଥିଲା ଏକ ସୁନ୍ଦର ତାଜା ନାଲି ଗୋଲାପ ଫୁଲର ତୋଡ଼ା ଏବଂ ମୁହଁରେ ଥିଲା ସେହି ପ୍ରିୟ, ବଦମାସୀ ଭରା ହସ। ପାଗର ତାଳେ ତାଳେ ଠିକ୍ ସେତିକିବେଳେ ପ୍ରକୃତି ମଧ୍ୟ ଝିପିଝିପି ବର୍ଷାର ଅମୃତ ବୁନ୍ଦା ଢାଳିବା ଆରମ୍ଭ କରିଦେଲା। ସଞ୍ଜିତା ନିଜର ସବୁ କ୍ଲାନ୍ତି ଭୁଲିଗଲା। ସେ ଡ୍ୟୁଟି ରୁମ୍‌ରୁ ବାହାରି ଦ୍ରୁତ ପାଦରେ ସିଡ଼ି ଦେଇ ତଳକୁ ଓହ୍ଲାଇଗଲା। କାନ୍ଧରେ ଥିବା ଷ୍ଟେଥୋସ୍କୋପ୍‌କୁ ସଜାଡ଼ି ସେ ପ୍ରାୟ ଦୌଡ଼ିବା ଅବସ୍ଥାରେ ମେଡିକାଲ୍ ଗେଟ୍ ପାଖରେ ପହଞ୍ଚିଲା। ଦେବ୍ ସାମ୍ନାରେ ଠିଆ ହୋଇ, ନିଜ ଲୁହଛଳଛଳ ଆଖିରେ ଆଶ୍ଚର୍ଯ୍ୟ ଓ ଆନନ୍ଦର ମିଶ୍ରିତ ଭାବରେ ସେ ପଚାରିଲା, ତୁମେ… ତୁମେ ସତରେ ଏଠି ? ଏହା କୌଣସି ସ୍ୱପ୍ନ ନୁହେଁ ତ ?

ଦେବ୍ ନିଜ ବାଇକ୍‌ରୁ ଓହ୍ଲାଇଲା ଏବଂ ଓଦା ଗୋଲାପ ଫୁଲତକ ସଞ୍ଜିତା ହାତକୁ ବଢ଼ାଇ ଦେଇ କହିଲା, ମୁଁ କହିଥିଲି ନା ସଞ୍ଜିତା, ଭାରତୀୟ ପ୍ରେମ ପାଣିପାଗ ବିଭାଗର ପୂର୍ବାନୁମାନ କେବେ ମିଛ ହୁଏନି! ମୁଁ ସବୁ କାମ ପଛରେ ପକାଇ ତୁମ ସହର ସୁକିନ୍ଦାକୁ ଧାଇଁ ଆସିଛି। ଆଉ ଏବେ ଦେଖ, ପାଗ ବି ଆମ ସାଥ୍ ଦେଉଛି। ଏବେ ପ୍ରେମର ପ୍ରବଳ ବର୍ଷା ହେବ। ଡାକ୍ତରଖାନାରେ ଦିନସାରା ରୋଗୀଙ୍କ ସେବା, କାମର ବ୍ୟସ୍ତତା ଏବଂ ମାନସିକ ଅବସାଦ ଭିତରେ ଦେବ୍‌ର ଏହି ଅପ୍ରତ୍ୟାଶିତ ସରପ୍ରାଇଜ୍ ସଞ୍ଜିତା ମନରେ ଏକ ନୂଆ ଜୀବନୀ ଶକ୍ତି ଏବଂ ଅପରିସୀମ ଖୁସି ଭରିଦେଲା। ବର୍ଷାର ପ୍ରତିଟି ଶୀତଳ ବୁନ୍ଦା ମଝିରେ ସେମାନଙ୍କ ହୃଦୟର ପ୍ରେମ ଓ ଉଷ୍ମତା ସୁକିନ୍ଦା ମେଡିକାଲ୍ ପରିସରକୁ ଏକ ଚିରସ୍ମରଣୀୟ ଏବଂ ରୋମାଣ୍ଟିକ ସ୍ୱର୍ଗରେ ପରିଣତ କରିଦେଇଥିଲା।

ଦେବବ୍ରତ ବାରିକ

ଆନନ୍ଦପୁର, କେନ୍ଦୁଝର

ସମ୍ପାଦକ ପ୍ରୀତି ପ୍ରଣତି ପରିବାର

Leave a Reply

Your email address will not be published. Required fields are marked *