ଉପଖଣ୍ଡ ଚିକିତ୍ସାଳୟରେ ଖସିଲା ପ୍ରସୂତୀ ବିଭାଗ ସିଲିଂ ; ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ପ୍ରସୂତୀ ଓ ନବଜାତକ

ଖୁଣ୍ଟା,୫/୮ : କପ୍ତିପଦା ଉପଖଣ୍ଡ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଘଟିଟି ଅଘଟଣ । ଗୁରୁତ୍ୱପୂର୍ଣ୍ଣ ପ୍ରସୂତୀ ବିଭାଗ ଛାତରୁ ଖସିଛି ସିଲିଂ । ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପ୍ରସୂତୀ ଓ ନବଜାତକ । ବୁଧବାର ସକାଳ ସଢେ ୮ ଘଟିକା ସମୟରେ ଅଚାନକ ଉଦଳା ମେଡ଼ିକାଲ ପାଞ୍ଚ ମହଲାର ପ୍ରଥମ ତାଲାରେ ଥିବା ପ୍ରସୂତୀ ବିଭାଗରେ ହୋଇଥିବା ସିଲିଂ ଖସିଥିଲା । ୩ଦିନ ହେବ ନବଜାତକ ଜନ୍ମ ଦେଇଥିବା କୁଟଲିଙ୍ଗ ଅଞ୍ଚଳର ସଞ୍ଜୁଲତା ପାତ୍ର ନିଜ ୩ ଦିନର ନବଜାତକକୁ କୋଳରେ ଧରି ବସିଥିଲେ । ଅଚାନକ ପ୍ରସୂତୀ ବିଭାଗର ସିଲିଂ ଖସିଥିଲା । ଏବଂ ଭଙ୍ଗା ସିଲିଂ ଅଂଶ ସଞ୍ଜୁଲତାଙ୍କ ପିଠିରେ ପଡ଼ି ତଳେ ପଡିଯାଇଥିଲା । ଏହି ସମୟରେ ତାଙ୍କ ବେଡ଼ ପାଖ ଦେଇ ଯାଉଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସ୍ୱାମୀ ହିମାଂଶୁ ସୋରେନ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପ୍ରସୂତୀ ସଞ୍ଜୁଲତାଙ୍କ ପିଠିରେ ସିଲିଂର କିଛି ଅଂଶ ପଡ଼ିଥିବାବେଳେ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ ନବଜାତକ ଏବଂ ପ୍ରସୂତୀ । ତୁରନ୍ତ ଘଟଣା ବାବଦରେ ପ୍ରସୂତୀ ବିଭାଗରେ ଥିବା ନର୍ସଙ୍କୁ ଘଟଣା ବାବଦରେ ଜଣାଇଥିଲେ ୱାର୍ଡରେ ଥିବା ପ୍ରସୂତୀଙ୍କ ସମ୍ପର୍କୀୟ । ମାତ୍ର , ଘଟଣାକୁ ଅତି ହାଲୁକା ଢଙ୍ଗରେ ଗ୍ରହଣ କରିଥିଲେ ନର୍ସ । ରକ୍ଷଣାବେକ୍ଷଣ ଅଭାବ ସହିତ ସିଲିଂ ଉପରେ ବର୍ଷା ପାଣି ଜମି ରହିବା କାରଣରୁ ସିଲିଂ ଭାଙ୍ଗି ପଡିଥିବା କୁହାଯାଇଛି । ହେଲେ ଏ ସବୁ ଭିତରେ ସିଲିଂ ଖସିବା ଘଟଣା ଜଣାପଡ଼ିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ସିଲିଂ ଖସିଥିବା ବେଡ଼କୁ ଉକ୍ତ ୱାର୍ଡରୁ ହଟାଇ ଦିଆଯିବା ସହିତ ପଡିଥିବା ସିଲିଂର ଖଣ୍ଡ ଅଂଶକୁ ସଫା କରି ଦିଆଯାଇଥିଲା । ଯାହାକି ସିଲିଂ ଖସି ପ୍ରସୂତୀ ବଡ ଅଘଟଣରୁ ବଂଚିବା ଘଟଣାକୁ ଚାପି ଦେବାକୁ ଉଦ୍ୟମ ବୋଲି ଅଭିଯୋଗ ହେଉଛି । ତେବେ ସିଲିଂ ଖସିବା ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ମୀନକେତନ ମହାନ୍ତିଙ୍କୁ ପଚାରିବାରୁ ସିଲିଂ ଖସିଛି, ହେଲେ କାହାରି ଦେହରେ ବାଜି ନାହିଁ ବୋଲି କହି ଚୁପ୍ ହୋଇଯାଇଛନ୍ତି ।

ତେବେ କୌଣସି ରୋଗୀଙ୍କ ଦେହରେ ସିଲିଂର ଭଙ୍ଗା ଅଂଶ ବାଜି ନ ଥିବା କଥା ତାଙ୍କୁ ୱାର୍ଡ଼ର ଦାୟିତ୍ୱରେ ଥିବା ନର୍ସମାନେ ସୂଚନା ଦେଇଥିବା ସେ କହିଛନ୍ତି । ପ୍ରଶ୍ନ ଉଠୁଛି ଯଦି ସିଲିଂ ଖସି କାହାରି ଦେହରେ ବାଜି ନାହିଁ କିମ୍ବା ବଡ ଅଘଟଣରୁ ବର୍ତ୍ତି ନାହାନ୍ତି, ତେବେ କଣ ପାଇଁ ତୁରନ୍ତ ସିଲିଂ ତଳେ ଥିବା ବେଡ଼କୁ ୱାର୍ଡରୁ ହଟାଇ ଦିଆଗଲା ଏବଂ ପ୍ରସୂତୀ ମହିଳାଙ୍କୁ ଅନ୍ୟ ବେଡ଼କୁ ସ୍ଥାନାନ୍ତର କରାଗଲା । ଯାହାକୁ ନେଇ ଉଠିଛି ବଡ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *