ମାଟିର କ୍ରନ୍ଦନ

କେଉଁଠି ଥିଲା କେଜାଣି ସେ କଳାହାଣ୍ଡିଆ ମେଘଟା, ଚାହୁଁ ଚାହୁଁ ଆକାଶ ଟାକୁ ଅନ୍ଧକାରାଚ୍ଛନ୍ନ କରିଦେଇ ବିଜୁଳି ଘଡ଼ଘଡ଼ିରେ ଛାତି ଭିତରଟାକୁ ଥରାଇ ପକାଇଲା। ସତେ ଯେମିତି ଆକାଶଟା ଖସି ପଡ଼ିବ ,ନଚେତ୍ ପ୍ରଳୟ ଆସିଯିବ। ନିର୍ଦ୍ଧୁମ ବର୍ଷାରେ ଚାରିଆଡ଼ ଜଳାର୍ଣ୍ଣବ। ଘୁ ଘୁ ଗର୍ଜନ କରି ପାଣିର ସୁଅରେ କେଉଁଠି ମାଟି ଧୋଇ ହୋଇ ଖାଲତ ,ଆଉ କେଉଁଠି ଢିପ। କିଛି ଘଣ୍ଟାର ତାଣ୍ଡବ ପରେ ବର୍ଷା ଝିପ୍ ଝିପ୍ ହେଉଥାଏ,ତା ସହ ଥଣ୍ଡା ପବନ ଵହି ଦେହକୁ କାଲୁଆ କରିଦେଉ ଥାଏ ।ତଥାପି ବାହାରକୁ ଯାଇ ସବୁକୁ ଦେଖିଲା ପରେ ,ପଚାରି ଥିଲି ମାଟିକୁ—

” କେମିତି ସହି ପାରୁଛୁ ଏତେ ସବୁ ଯନ୍ତ୍ରଣା “?

ସବୁ ଦୁଃଖକୁ ଗର୍ଭରେ ଧାରଣ କରି ସବୁଜିମାରେ ପରିପୂର୍ଣ୍ଣ ହୋଇ,ଜୀବଜଗତକୁ ଖାଦ୍ୟ, ପାନୀୟ,ବାସଗୃହ ଆଦି ପ୍ରଦାନ କରିଥାଉ,ମନକୁ ଆମୋଦିତ କରିବାକୁ କେତେ ରଙ୍ଗ ବେରଙ୍ଗର ଫୁଲରେ ପ୍ରକୃତିକୁ ସଜାଇ ଥାଉ ,ଖାଲି ସେତିକି ନୁହେଁ, ପିଲାଟିଏ ଯେବେ  ଚାଲିବା ଶିଖିଥାଏ ପ୍ରଥମ ପାଦ ତୋରି ଉପରେ ପକାଇ ଥାଏ । ହେଲେ କେବେ କୌଣସି ଅଭିଯୋଗ କେମିତି ତୋର ନଥାଏ ?

ସତେ ଯେମିତି ତାତ୍ସଲ୍ୟ କରି ମୋତେ କହିଥିଲା —-

ମୁଁ ହେଉଛି ମାଟି ମାଆ , ସର୍ଵଂସହା। ଜୀବଜଗତର ମଙ୍ଗଳ କାମନା କରିବା ମୋର ଧର୍ମ ।ନିଜ ବକ୍ଷକୁ ଖୋଲି ଦେଇ ଝରଣା ଝରାଇଲି ,ସେଥିରେ ନଦୀ ଭର୍ତ୍ତି ହେଲା ,ଆକାଶର କରୁଣାରେ ବର୍ଷା ହୋଇ ନଦୀ, ପୋଖରୀ, କୂଅ ଜଳମୟ ହେଲା ,ମନୁଷ୍ୟ ସମାଜର ମଙ୍ଗଳ ପାଇଁ ମୋ ଉପରେ ବଣ, ଜଙ୍ଗଲ ଘଞ୍ଚ ତରୁଲତାରେ ପରିଣତ ହୋଇ ପ୍ରାଣିଜଗତକୁ ଆଶୀର୍ବାଦ ପ୍ରଦାନ କଲା ।ହେଲେ ମନୁଷ୍ୟ ମୋର ମହତ୍ତ୍ୱକୁ ବୁଝିବା ପାଇଁ ଚେଷ୍ଟା ନକରି ମୋତେ ହତଶ୍ରି କରିବାକୁ ଯେମିତି ପ୍ରଣ କରିଛି । ଶୀତରେ ଗ୍ରୀଷ୍ମର ପ୍ରକୋପ ,କେଉଁଠି ଜଳ ଅଭାବରୁ ସବୁଜିମା ମରୁଭୂମିରେ ପରିଣତ ହେଉଛି ତ ଆଉ କେଉଁଠି ମରୁଭୂମି ଜଳାର୍ଣ୍ଣବ ହେଉଛି ,ଧାରା ଶ୍ରାବଣରେ  ମାଟି ଫାଟି ପଡ଼ୁଛି। ଏତେ ସତ୍ତ୍ୱେ ବି ସମାଜରେ କୌଣସି ପରିବର୍ତ୍ତନର ସ୍ୱର ଉଠୁ ନାହିଁ। କେବଳ ମନୁଷ୍ୟମାନେ ସବୁ କିଛି ଜାଣି ବି ନ ଜାଣିବାର ଅଭିନୟ କରିଚାଲିଛନ୍ତି ।

ଦିନେ ନା ଦିନେ ପ୍ରକୃତିର ପ୍ରକୋପରେ ଏ ପ୍ରାଣୀ ଜଗତ ଧ୍ୱଂସ ହୋଇଯିବ। କିଏ କହିଲା ମୋତେ କଷ୍ଟ ହୁଏ ନାହିଁ ! ବେଳେ ବେଳେ ଅଭିଶାପ ଦେବାକୁ ଇଛା ହୁଏ, ହେଲେ ମାଆ କଣ କେବେ ସନ୍ତାନର ଅମଙ୍ଗଳ ଚିନ୍ତା କରିପାରେ? କେବଳ ନୀରବରେ ଚାହିଁ ରହିଛି ସମୟ ସହିତ ଟିକେ ପରିବର୍ତ୍ତନକୁ ………..।

ସଂଯୁକ୍ତା ଦାଶ

ଭୁବନେଶ୍ବର

Leave a Reply

Your email address will not be published. Required fields are marked *