ବନ୍ୟା ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ : ଓଜେସି

ଭୁବନେଶ୍ୱର,୧/୮ : ରାଜ୍ୟରେ ଭୟାଭହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭିନ୍ନ ଭିନ୍ନ ଜିଲ୍ଲାର ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏବଂ ହଜାର ହଜାର ଗୃହପାଳିତ ପଶୁ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି ଜରୁରୀ ପରିସ୍ଥିତିରେ ସରକାର ବିପର୍ଯ୍ୟୟ ପରିଚାଳନାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏହିକ୍ରମରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବନ୍ୟା ପରିଚାଳନାରେ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଠିକ୍ ଭାବେ କରି ନ ଥିବାରୁ ରାଜ୍ୟରେ ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ହନ୍ତସନ୍ତ ଜୀବନ କାଟୁଛନ୍ତି ବୋଲି ଓଜେସି ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା ବିବୃତ୍ତି ରଖିଥିଲେ। ଜନସାଧାରଣଙ୍କ ନିକଟରେ ଜରୁରୀ ଆବଶ୍ୟକତା ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇବାରେ ସରକାର ବିଫଳ ହୋଇଥିବାରୁ ଅନେକ ଅଞ୍ଚଳରେ ପ୍ରଭାବିତମାନେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପରିବର୍ତ୍ତେ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି।

ନଦୀପଠାରୁ ବ୍ୟାପକ ବାଲି ଚୋରାଚାଲାଣ ଦ୍ୱାରା ନଦୀବନ୍ଧ ଦୁର୍ବଳ ହେବାସହ ପ୍ରଖର ସ୍ରୋତ ଆସି ନଦୀ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ବ୍ୟାପକ କ୍ଷୟକ୍ଷତି ହୋଇଛି । କୌଣସି ନଦୀକୂଳରେ ଆଡ଼ିବନ୍ଧ ବା ବୃକ୍ଷ ନ ଥିବାରୁ ଏହିଭଳି ବିପର୍ଯ୍ୟୟ ବାରମ୍ବାର ଘଟୁଛି, ଯାହା ଗତ ସରକାର ଖାମଖିଆଲି ଭାବେ ନେଇଥିଲେ ଏବଂ ବର୍ତ୍ତମାନର ସରକାର ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏଣୁ ଓଡ଼ିଶା ଜନତା କଂଗ୍ରେସ ତରଫରୁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇ ବନ୍ୟା ବିପର୍ୟ୍ୟ ୟ ନିୟନ୍ତ୍ରଣ କରନ୍ତୁ ବୋଲି ଶ୍ରୀ ଜେନା ଦାବି କରିଥିଲେ। ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶରେ ଓଜେସି ସେବା ସଂଗଠନ ପକ୍ଷରୁ ଶନିବାରଠାରୁ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ ଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଜନତା କଂଗ୍ରେସର ଯାଜପୁର ଜିଲ୍ଲା ପ୍ରଭାରୀ ନଜିବୁର୍ ରେହମାନ ଖାନ୍, ସୋମନାଥ ରାଉତ ଏବଂ ଓଡ଼ିଶା କୃଷକ ଜନତା କଂଗ୍ରେସର ବରିଷ୍ଠ ନେତା ଦୁର୍ଗାଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *