ଜାନୁୟାରୀରୁ ଜୁନ ୨୦୨୬ମଧ୍ୟରେ ୧୭,୫୯୦ନିଖୋଜ ମହିଳା ଓ ଶିଶୁ ଉଦ୍ଧାର

ଭୁବନେଶ୍ବର,୧/୮ : ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ସଫଳତା ହାସଲ କରିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ( CAW &CW) ର ତଦନ୍ତ, ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।

ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ରାଜ୍ୟରେ ମୋଟ ୪,୮୭୩ ଜଣ ଶିଶୁ (୫୩୮ ନାବାଳକ, ୪,୩୩୪ ନାବାଳିକା ଏବଂ ୧ ଜଣ ଟ୍ରାନ୍ସଜେଣ୍ଡର) ନିଖୋଜ ହୋଇଥିବା ନେଇ ରିପୋର୍ଟ ହୋଇଥିବାବେଳେ, ଓଡ଼ିଶା ପୋଲିସ ତତ୍ପରତା ପ୍ରକାଶ କରି ଏହି ସମୟ ମଧ୍ୟରେ ମୋଟ ୫,୪୧୩ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଶିଶୁ ଉଦ୍ଧାର କ୍ଷେତ୍ରରେ ପୁରୀ ଜିଲ୍ଲା (୧୧୬୧), ୟୁପିଡି ଭୁବନେଶ୍ୱର (୩୯୯) ଏବଂ ମୟୂରଭଞ୍ଜ (୨୭୮) ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ସେହିପରି ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ରାଜ୍ୟରେ ୧୦,୬୦୫ ଜଣ ମହିଳା ନିଖୋଜ ହୋଇଥିବାବେଳେ, ଓଡ଼ିଶା ପୋଲିସ ଦକ୍ଷତାର ସହ ୧୨,୧୭୭ ଜଣ ନିଖୋଜ ମହିଳାଙ୍କୁ ଉଦ୍ଧାର କରିଛି। ମହିଳା ଉଦ୍ଧାର କ୍ଷେତ୍ରରେ ପୁରୀ ଜିଲ୍ଲା (୩୭୧୩), ଯାଜପୁର (୮୨୦) ଏବଂ ଗଞ୍ଜାମ (୫୮୧) ଜିଲ୍ଲା ସର୍ବାଧିକ ସଫଳତା ହାସଲ କରିଛନ୍ତି। ସମୁଦାୟ ୧୧୬୧ ଜଣ ଶିଶୁ ଏବଂ ୩୭୧୩ ଜଣ ମହିଳାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ରାଜ୍ୟରେ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି। ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ବାହାର କରିବା ମହିଳା ଓ ଶିଶୁ ସୁରକ୍ଷା ଶାଖା ପକ୍ଷରୁ ନିୟମିତ ଭାବେ “ଅପରେସନ୍ ଅନ୍ୱେଷଣ” ସ୍ୱତନ୍ତ୍ର ଅଭିଯାନ କରାଯାଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨ଟି ସ୍ୱତନ୍ତ୍ର ଅଭିଯାନ କରାଯାଇଥିବା ବେଳେ ଗତ ୧୮.୦୭.୨୦୨୬ ରୁ ୨୨.୦୭.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଅପରେସନରେ ୩୨୧ ଜଣ ନିଖୋଜ ଶିଶୁ (୩୫ ନାବାଳକ, ୨୮୬ ନାବାଳିକା) ଏବଂ ୨,୪୩୪ ଜଣ ନିଖୋଜ ମହିଳାଙ୍କୁ ପୋଲିସ ସଫଳତାର ସହ ଉଦ୍ଧାର କରିଛି। ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆଗାମୀ ଦିନରେ ମଧ୍ୟ ଏହିପରି ସ୍ୱତନ୍ତ୍ର ଅଭିଯାନକୁ ଆହୁରି ବ୍ୟାପକ ଓ ଜୋରଦାର କରାଯିବ।

Leave a Reply

Your email address will not be published. Required fields are marked *